ବିଜେପି ଭୟରେ ଚମ୍ପୁଆରୁ ସନାଙ୍କୁ ଟିକେଟ ଦେଲା ବିଜେଡି!

ଭୁବନେଶ୍ୱର,୨୧/୪(ସତ୍ୟପାଠ ବ୍ୟୁରୋ):  କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନ ପାଇଁ ଜିଲାର ପ୍ରଭାବଶାଳୀ ନେତା ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏଠାରୁ ବିଧାୟିକା ଥିବା ମିନାକ୍ଷୀ ମହାନ୍ତଙ୍କ ଟିକେଟ କାଟି ପୂର୍ବତନ ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ଙ୍କୁ ଟିକେଟ ଦିଆଯାଇଛି | କାରଣ ସନାଙ୍କର କେନ୍ଦୁଝର ଜିଲ୍ଲାର ସମସ୍ତ ୬ଟି ନିର୍ବାଚନମଣ୍ଡଳୀ ସମେତ ପଡ଼ୋଶୀ କରଞ୍ଜିଆ ନିର୍ବାଚନମଣ୍ଡଳୀରେ ମଧ୍ୟ ସଂଗଠନ ରହିଛି। ତାଙ୍କର ନିଜସ୍ବ ଭୋଟବ୍ୟାଙ୍କ ମଧ୍ୟ ରହିଛି। ୨୦୧୪ରେ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ବିଜୟୀ ହେବା ପରେ ନିଜର ସାଂଗଠନିକ ଦକ୍ଷତା ବଢ଼ାଇଥିଲେ। ନିଜର ଏକ ଦଳ ଗଠନ କରି କାୟାବିସ୍ତାର କରିବା ଯୋଜନା ମଧ୍ୟ କରିଥିଲେ। ହେଲେ ସେତେବେଳ ସନାଙ୍କୁ ଅଟକାଇବାକୁ ଚେଷ୍ଟା କରି ସଫଳ ହୋଇଥିଲା ବିଜେଡି । ୨୦୧୯ରେ ସନାତନ ଆଉ ନିର୍ବାଚନ ଲଢ଼ିନଥିଲେ । ହେଲେ ତାଙ୍କ ସୁପାରିସରେ ଚମ୍ପୁଆରୁ ମୀନାକ୍ଷୀ ମହାନ୍ତ ଓ କେନ୍ଦୁଝର ଲୋକସଭା ଆସନପାଇଁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଉଭୟ ବିଜୟୀ ମଧ୍ୟ ହୋଇଥିଲେ।

ହେଲେ ଚମ୍ପୁଆରୁ ମୀନାକ୍ଷୀ ବିଜୟୀ ହେବା ପରେ ବିଜେଡିରେ ସନାତନଙ୍କୁ ଅଣଦେଖା କରାଯାଇଥିଲା। ଏପରିକି ସନା ଓ ମୀନାକ୍ଷୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଗତଥରର ଝଟ୍‌କା ପରେ ଚଳିତ ନିର୍ବାଚନରେ ସନା ନିଜେ ପ୍ରାର୍ଥୀ ହେବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିଜେଡି ସନାଙ୍କୁ ପ୍ରାର୍ଥୀ କରିବାକୁ ରାଜି ନଥିଲା। ବହୁଦିନର ଛକାପଞ୍ଝା ଭିତରେ ସନାତନଙ୍କୁ ବିଜେଡି କୋଳେଇ ପାରୁନଥିଲା କି ‌ଛାଡ଼ି ପାରୁନଥିଲା। ଯେଉଁଥିପାଇଁ ଚମ୍ପୁଆ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଘୋଷଣା ମଧ୍ୟ ବିଳମ୍ବ ହେଉଥିଲା। ଏପରିକି ସନାଙ୍କୁ ବିଜେଡି ଟିକେଟ ନ ଦେଲେ ସେ ବିଜେପିକୁ ଚାଲିଯିବେ ବୋଲି ଚର୍ଚ୍ଚା ହେଉଥିଲା। ଜିଲ୍ଲା ବିଜେପିର ଏକାଧିକ ନେତା ବାରମ୍ବାର ସନାଙ୍କୁ ଭେଟି ଦଳକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଆଉ ସନା ବିଜେପିକୁ ଚାଲିଗଲେ ଜିଲ୍ଲାର ସବୁ ଆସନରେ ବିଜେଡିର ଗଣିତ ବିଗିଡ଼ିଯାଇଥାନ୍ତା। ଏପରିକି କେନ୍ଦୁଝର ଜିଲ୍ଲାରେ ବିଜେଡି ଖାତା ଖୋଲିବା ମଧ୍ୟ ମୁସ୍କିଲ ହୋଇଯାଇଥାନ୍ତା ବୋଲି କୁହାଯାଉଛି | ଏଣୁ ବିଜେପି ଭୟରେ ଶେଷରେ ବାଧ୍ୟହୋଇ ସନାଙ୍କୁ ଚମ୍ପୁଆରୁ ବିଜେଡି ପ୍ରାର୍ଥୀ କରିଛି ବୋଲି ଚର୍ଚ୍ଚା ହେଉଛି।

Related Posts