କୁଚିଣ୍ଡାରେ ବବିଙ୍କୁ ବିଜେଡି କର୍ମୀଙ୍କ ବିରୋଧ

ଭୁବନେଶ୍ୱର,୨୧/୪(ସତ୍ୟପାଠ ବ୍ୟୁରୋ): ସମ୍ବଲପୁର ଲୋକସଭାରୁ ବିଜେଡି ପ୍ରାର୍ଥୀ ତଥା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୁଚିଣ୍ଡାରେ ଜୋରଦାର ବିରୋଧ | ଗତକାଲି କୁଚିଣ୍ଡାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ବବିଙ୍କୁ ଜୋରଦାର ବିରୋଧର ସାମ୍ନା କରିବାକୁ ପଡିଛି | ବବିଙ୍କୁ ବିରୋଧ କରିଛନ୍ତି ବର୍ତ୍ତମାନ ବିଧାୟକ ଥିବା କିଶୋର ନାୟକଙ୍କ ସମର୍ଥକ | ତେବେ ଏଥର କିଶୋରଙ୍କ ଟିକେଟ କାଟି ରାଜେନ୍ଦ୍ର ଛତ୍ରିଆଙ୍କୁ କୁଚିଣ୍ଡାରୁ ପ୍ରାର୍ଥୀ କରିଛି ବିଜେଡି | ଆଉ ଏହାକୁ ବିରୋଧ କରି ଆଜି ବବିଙ୍କ ସଭାରେ କିଶୋର ନାୟକ ଜିନ୍ଦାବାଦ ସ୍ଲୋଗାନ ଦେଇ ଜୋରଦାର ପ୍ରତିବାଦ କରିଛନ୍ତି କିଶୋରଙ୍କ ସମର୍ଥକ |

ତେବେ ଏଥର ବିଜେଡି ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଛତ୍ରିଆ 2009ରେ କଂଗ୍ରେସ ଟିକେଟରେ ଲଢ଼ି ବିଧାୟକ ହୋଇଥିଲେ | ହେଲେ 2014 ନିର୍ବାଚନରେ ସେ ତୃତୀୟ ସ୍ଥାନକୁ ଖସି ଆସିଥିଲେ | ଆଉ 2019 ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିନଥିଲେ | ଆଉ ନିକଟରେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିଲେ | ଆଉ ବିଜେଡିରେ ଯୋଗଦେଉ ଦେଉ ଦଳ ତାଙ୍କୁ କୁଚିଣ୍ଡା ଟିକେଟ ଦେଇଦେଲା | ଯାହାକୁ ବର୍ତ୍ତମାନର ବିଜେଡି ବିଧାୟକ କିଶୋର ନାୟକଙ୍କ ଗୋଷ୍ଠୀ ଜୋରଦାର ବିରୋଧ କରିଛନ୍ତି | କିଶୋର ନାୟକଙ୍କ ଟିକେଟ କଟିଥିବା ଯୋଗୁଁ ସାଂସଦ ପ୍ରାର୍ଥୀ ବବିଙ୍କ ସଭାରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି | ବବି କିଶୋରଙ୍କ ଗୋଷ୍ଠୀକୁ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ ଚାଲିଯାଇଥିଲେ | ତେବେ ଆଗକୁ ନିର୍ଵାଚନ ଥିବାବେଳେ କିଶୋରଙ୍କ ଗୋଷ୍ଠୀକୁ ଦଳ ମ୍ୟାନେଜ କରି ପାରୁଛି ନା ନାହିଁ ତାହାରି ଉପରେ ସମସ୍ତଙ୍କ ନଜର ରହିଛି | ଆଉ ଯଦି ଦଳ ଏଥିରେ ସଫଳ ନହୁଏ ତାହେଲେ ଉଭୟ ରାଜେନ୍ଦ୍ର ଛତ୍ରିଆ ଓ ବବି ଦାସ ନିର୍ବାଚନରେ ବଡ଼ କ୍ଷତି ସହିବେ ବୋଲି କୁହାଯାଉଛି |

Related Posts