ଭୋଟ ବାକ୍ସରେ ପାଣି ପୂରେଇଦେଲେ ବିଜେପି ଏଜେଣ୍ଟ; ବନ୍ଦ ହେଲା ମତଦାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟର ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହା ମଧ୍ୟରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର‌୍ୟ୍ୟାୟ ମତାଦାନ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ରେ ୧୭ ପଞ୍ଚାୟତରେ ମୋଟ୍ ୨୪୫ ବୁଥ୍ରେ ଭୋଟ ଗ୍ରହଣ ସରିଛି ଓ ୬୫ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ ଅଧିକାରୀ ତଥା ବିଡିଓ ଆଦିକନ୍ଦ ବେହେରା ସୂଚନା ଦେଇଛନ୍ତି। ଭୋଟ୍ ଗ୍ରହଣ ଆପାତତଃ ଶାନ୍ତିପୂର୍ଣ୍ଣ ହୋଇଥିବା ବେଳେ କେତେକ ପଞ୍ଚାୟତରେ କାଁ ଭାଁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ତେବେ ସୋମଣା ଶାସନ ପଞ୍ଚାୟତର ସୋମଣା ପ୍ରଧାନ ୩ ନଂ ବୁଥ୍ରେ ଭୋଟଗ୍ରହଣ ବାତିଲ କରାଯାଇଛି। ଏହି ବୁଥ୍ରେ ବିଜେପି ଦଳର ଏଜେଣ୍ଟ ଭୋଟ୍ବାକ୍ସରେ ପାଣି ପୂରେଇ ଦେବାରୁ ମତଦାନ ବନ୍ଦ କରାଯାଇଛି। ରାଜ୍ୟ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶାନୁସାରେ, ଏଠାରେ ସାନି ମତଦାନ ହେବ। ଏନେଇ ବ୍ଲକ୍ ପ୍ରଶାସନ ପକ୍ଷରୁ ଉକ୍ତ ଏଜେଣ୍ଟଙ୍କ ନାମରେ ଏତଲା ଦିଆଯାଇଛି ଓ ସେ ଫେରାର୍ ହୋଇଯାଇଛନ୍ତି। ସେପଟେ ସୋମଣାପ୍ରଧାନ ବୁଥ୍ ନମ୍ବର ୩ରେ ଭୋଟର୍ ତାଲିକାକୁ ନେଇ ପ୍ରଥମେ ବିବାଦ ସୃଷ୍ଟି ହୋଇଥିଲା।

ଭୋଟର୍ ତାଲିକାରେ ନାଁ ଅଦଳ ବଦଳ ହୋଇଥିବା କାରଣରୁ ବହୁ ଭୋଟର୍ ମତଦାନ କରିବାରୁ ବଞ୍ଚିତ ହୋଇଥିଲେ। ଏହାକୁ ନେଇ ଏଜେଣ୍ଟ ଗଦାଧର ପ୍ରଧାନ ରାଗି ଯାଇଥିଲେ। ବୁଥ୍ ଭିତରେ ପାଟିତୁଣ୍ଡ କରିଥିଲେ। ଫଳରେ ଅନ୍ୟ ଏଜେଣ୍ଟମାନଙ୍କ ସହ ଗଦାଧରଙ୍କ କଥା କଟାକଟି ହୋଇଥିଲା। ହଠାତ୍ ଗଦାଧର ଭୋଟ ବାକ୍ସ ଭିତରେ ପାଣି ପୂରେଇ ଦେଇଥିଲେ। ସେତେବେଳକୁ କିଛି ମତଦାତା ଭୋଟ ଦେଇସାରିଥିଲେ। ଗଦାଧର ଭୋଟ୍ ବାକ୍ସରେ ପାଣି ପୂରାଇ ସେଠାରୁ ଚାଲି ଯାଇଥିଲେ। ତୁରନ୍ତ ପ୍ରିଜାଇଡିଂ ଅଫିସର ଏନେଇ ବାଲିପାଟଣା ବିଡିଓଙ୍କୁ ଜଣାଇଥିଲେ। ଖବର ପାଇ ବିଡିଓ ଘଟଣାସ୍ଥଳରେ ପହଞ୍ଚି ମତଦାନ ବାତିଲ କରାଇଥିଲେ। ସେହିଭଳି ଗୁଆପୁର, ମଝିହରା, ଆମେଣାକୁଦ ପଞ୍ଚାୟତରେ ବି ମତଦାନ ବେଳେ ସାମାନ୍ୟ ଗଣ୍ଡଗୋଳ ଘଟିଛି। କିନ୍ତୁ ଏନେଇ କୌଣସି ଅଭିଯୋଗ ଥାନାରେ ପହଞ୍ଚି ନାହିଁ। ଭୋଟବାକ୍ସ ସବୁ ବୁଦ୍ଧନାଥ ହାଇସ୍କୁଲ୍ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯାଇଛି।

Related Posts