ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି, ୮ କେନ୍ଦ୍ରମନ୍ତ୍ରୀଙ୍କ କଟିଲା ଟିକେଟ୍

 ଭୁବନେଶ୍ୱର,୧୨/୨(ସତ୍ୟପାଠ ବ୍ୟୁରୋ):  ଫେବ୍ରୁଆରି ୨୭ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଆଜ ପ୍ରାର୍ଥୀ ତାଲିକା ଜାରି କରିଛି । କାର୍ଯ୍ୟକାଳ ଶେଷ ହେଉଥିବା ୮ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ ମିଳିନାହିଁ। ତାଲିକାରେ ପ୍ରମୁଖ ପ୍ରାର୍ଥୀମାନେ ହେଲେ ସୁଧାଂଶୁ ତ୍ରିବେଦୀ, ଆର୍‌ପିଏନ୍‌ ସିଂହ, ତେଜବୀର ସିଂହ, ସାଧନା ସିଂହ, ସଙ୍ଗୀତା ବଲୱନ୍ତ, ନବୀନ ଜୈନ ଓ ଅମରପାଲ ମୌର୍ଯ୍ୟ।

ଉତ୍ତରପ୍ରଦେଶରେ ୧୦ଟି ରାଜ୍ୟସଭା ଆସନ ଖାଲି ପଡ଼ିଛି। ୟୁପି ବ୍ୟତୀତ ବିହାର, ଛତିଶଗଡ଼, ହରିୟାଣା ଓ କର୍ଣ୍ଣାଟକ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଦଳ ପକ୍ଷରୁ ୧୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିବା ବେଳେ ସେଥିରେ ୟୁପିରୁ ୭ ପ୍ରାର୍ଥୀ ଅଛନ୍ତି।

ଜାତିଗତ ସମୀକରଣ ବଜାୟ ରଖିବାକୁ ବିଜେପି ପ୍ରୟାସ କରିଥିବା ଆଜିର ପ୍ରାର୍ଥୀ ତାଲିକାରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଆର୍‌ପିଏନ୍ ସିଂହ କୁର୍ମି ସମ୍ପ୍ରଦାୟରୁ ଆସିଛନ୍ତି। ସେ କୁଶୀନଗରରୁ ସାଂସଦ ଅଛନ୍ତି। ସେ କଂଗ୍ରେସ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସୁଧାଂଶୁ ତ୍ରିବେଦୀ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଏବଂ ଜଣେ ବ୍ରାହ୍ମଣ। ଅମରପାଲ ମୌର୍ଯ୍ୟ ୟୁପି ବିଜେପିର ସାଧାରଣ ସମ୍ପାଦକ ଏବଂ ମୌର୍ଯ୍ୟ (କୋଇରୀ) ସମ୍ପ୍ରଦାୟର ଅଟନ୍ତି । ସଙ୍ଗୀତା ବଲୱନ୍ତ ଗାଜିପୁରର ବିଧାୟକ ଏବଂ ଜଣେ ପୂର୍ବତନ ମନ୍ତ୍ରୀ। ସେ ନିଶାଦ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ ।

ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦୀଙ୍କୁ ଏଥର ଟିକେଟ ମିଳିନାହିଁ। ଅତ୍ୟନ୍ତ ପଛୁଆ ସଂପ୍ରଦାୟର ଭୀମ ସିଂହଙ୍କୁ ବିହାରରୁ ପ୍ରାର୍ଥୀ କରାଯାଇଛି। ଡାକ୍ତର ଧର୍ମଶୀଳା ଗୁପ୍ତାଙ୍କୁ ବିହାରରୁ ଟିକେଟ ଦିଆଯାଇଛି। ଛତିଶଗଡ଼ରୁ ବିଜେପି ରାଜା ଦେବେନ୍ଦ୍ର ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି। ହରିୟାଣାର ଗୋଟିଏ ଆସନରୁ ସୁଭାଷ ବରାଲାଙ୍କୁ ପ୍ରାର୍ଥୀ କରାଯାଇଛି। କର୍ଣ୍ଣାଟକର ଗୋଟିଏ ଆସନରୁ ନାରାୟଣ କ୍ରିଷ୍ଣା ଭାନ୍ଦଗେ ବିଜେପି ପ୍ରାର୍ଥୀ ହୋଇଛନ୍ତି।

Related Posts