ଆସ୍ଥା ଭୋଟ ପାଇଁ ବିହାରରେ ଛକାପଞ୍ଝା; ଆଜି ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ ନୀତିଶ କୁମାର

 ଭୁବନେଶ୍ୱର,୧୨/୨(ସତ୍ୟପାଠ ବ୍ୟୁରୋ):  ଆଜି ବିହାରରେ ଆସ୍ଥା ଭୋଟ୍ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ମିଶି ସରକାର ଗଢିବା ପରେ ଆଜି ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ । ଏହା ପୂର୍ବରୁ ବିହାରରେ ରାଜନୈତିକ ଛକାପଞ୍ଝା ବଢ଼ିବାରେ ଲାଗିଛି । ଇଣ୍ଡିଆ ମେଣ୍ଟ ଏବଂ ଏନଡିଏ ଉଭୟ ନିଜ ନିଜ ବିଧାୟକଙ୍କୁ ଗୃହବନ୍ଦୀ କରି ରଖିଲା ଭଳି ରଖିଛନ୍ତି । ଜେଡିୟୁର ୪ ବିଧାୟକ ଧରାଛୁଆଁ ଦେଉନଥିବାରୁ ନୀତୀଶ କୁମାରଙ୍କ ଟେନସନ ବଢିଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀଙ୍କ ସହ କଥା ହୋଇଛନ୍ତି । ଆରଜେଡି ଶନିବାର ଏହାର ବିଧାୟକମାନଙ୍କର ଏକ ବୈଠକ ଡାକିଥିଲା । ଏହାପରେ ସମସ୍ତ ବିଧାୟକଙ୍କୁ ତେଜସ୍ୱୀ ଯାଦବଙ୍କ ବାସଭବନରେ ଅଟକା ଯାଇଛି । ସେହିପରି କଂଗ୍ରେସ ବିଧାୟକମାନେ ହାଇଦ୍ରାବାଦରୁ ଫେରି ପାଟନାରେ ପହଂଚିଛନ୍ତି । ଏବେ ଏହି କଂଗ୍ରେସ ବିଧାୟକ ତେଜସ୍ୱୀଙ୍କ ଘରେ ଅଛନ୍ତି । ସିପିଆଇ(ଏମ୍ ଏଲ୍ )ର ୧୨ ଜଣ ଏମ୍ ଏଲ୍ ମଧ୍ୟ ଅଛନ୍ତି । କୁହାଯାଉଛି ଯେ, ଫ୍ଲୋର ଟେଷ୍ଟ ପରେ ଇଣ୍ଡିଆ ଆଲାଏନ୍ସର ସମସ୍ତ ବିଧାୟକ ନିଜ ନିଜ ଘରକୁ ଯାଇପାରିବେ ।

ପାଟନାରେ ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କ ବାସଭବନରେ ବୈଠକ ପରେ ଜେଡିୟୁ ବିଧାୟକଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇନଥିଲା । ନୀତୀଶ କୁମାରଙ୍କ ସମସ୍ତ ବିଧାୟକ ପାଟନାର ହୋଟେଲ ଚାଣକ୍ୟରେ ରହୁଛନ୍ତି । ୪ ଜଣ ବିଧାୟକ ଅନୁପସ୍ଥିତ ଅଛନ୍ତି । ଏନଡିଏ ପାଖରେ ୧୨୮ ବିଧାୟକ ଥିବା ବେଳେ ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ବିଧାୟକଙ୍କ ଆବଶ୍ୟକତା ରହିଛି । ଏଥିରେ ବିଜେପିର ୭୮, ଜେଡିୟୁର ୪୫, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା-ଏସ୍ ର ୪ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି । ସେହିପରି ମହାମେଂଟର ୧୧୪ ବିଧାୟକ ଅଛନ୍ତି । ଏଥିରେ ଆରଜେଡିର ୭୯, କଂଗ୍ରେସର ୧୯ ଓ ବାମପନ୍ଥୀ ଦଳର ୧୬ ବିଧାୟକ ରହିଛନ୍ତି ।

Related Posts