ନାରାୟଣଙ୍କ ପାଖରେ ପୂଜାରୀଙ୍କ ମିଛ ମନ୍ତ୍ରପାଠର ପ୍ରମାଣ !

ସତ୍ୟପାଠ ବ୍ୟୁରୋ : ବିଧାନସଭାରେ ମନ୍ତ୍ରୀମାନେ ମିଥ୍ୟା ତଥ୍ୟ ରଖୁଛନ୍ତି । ଚଳିତ ଅଧିବେଶନ ଆରମ୍ଭରୁ ବିରୋଧୀ ଏଭଳି ଅଭିଯୋଗ ପ୍ରତିଦିନ କରି ଆସୁଥିବା ବେଳେ ଆଜି ଏହା ଉଗ୍ର ରୂପ ଧାରଣ କରିଛି । ମନ୍ତ୍ରୀଙ୍କ ମିଥ୍ୟାତଥ୍ୟର ପ୍ରମାଣ ରଖିଥିବା ନେଇ କହିଛନ୍ତି ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର । ଯାହାକୁ ଭିତ୍ତି କରି ବିଜେପି ତରଫରୁ ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ବିରୋଧରେ ସ୍ୱାଧିକାର ଭଂଗ ନୋଟିସ ଅଣାଯାଇଛି ।

ଗୃହରେ ମନ୍ତ୍ରୀ କହିଥିଲେ, ୨୦୦୬ ମସିହା ପରଠାରୁ ନୂଆ ମଦ ଦୋକାନ ପାଇଁ କାହାକୁ ନୂଆ ଲାଇସେନ୍ସ ଦିଆଯାଇନାହିଁ । ବରଂ ମଦର ଅପକାରିତା ବୁଝାଇବାକୁ ରାଜ୍ୟ ସରକାର ଅର୍ଥବ୍ୟୟ କରୁଛନ୍ତି । ଗଲା ୮ବର୍ଷ ଭିତରେ ସଚେତନତାରେ ଖର୍ଚ୍ଚ ହୋଇଛି ୩୨ଲକ୍ଷ ଟଙ୍କା । କିନ୍ତୁ ମନ୍ତ୍ରୀ ପୂଜାରୀଙ୍କ ଉତ୍ତରକୁ ଭୁଲ ବୋଲି କହିଛି ବିଜେପି । ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ମନ୍ତ୍ରୀଙ୍କର ଏହି ଉତ୍ତର ତଥ୍ୟ ଭିତ୍ତିକ ନୁହେଁ । ୨୦୦୬ ମସିହା ପରେ ବି ନୂଆ ଦୋକାନ ଖୋଲିଛି । ଏହାର ପ୍ରମାଣ ମୋ ପାଖରେ ରହିଛି । ସ୍ୱାଧୀକାର କମିଟି ଚାହିଁଲେ ସେ ପ୍ରମାଣ ଦେବେ ବୋଲି କହିଛନ୍ତି ଜୟ ନାରାୟଣ ।

ସେପଟେ ପୂର୍ବତନ ଅବାକରୀ ମନ୍ତ୍ରୀ ଦାମୋଦର ରାଉତ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ୨୦୦୬ ମସିହା ପରେ ବି ମଦ ଲାଇସେନ୍ସ ଦିଆଯାଉଥିଲା ଓ ତାହା ଏବେ ବି ଦିଆ ଚାଲିଛି ବୋଲି କହିଛନ୍ତି ଦାମବାବୁ । ଯାହାକୁ ନେଇ ପୁଣିଥରେ ରାଜନୀତି ଉଷ୍ମ ହୋଇଛି ।

ବଡ କଥା ହେଉଛି, ଅଧିବେଶନ ଆରମ୍ଭରୁ ମନ୍ତ୍ରୀଙ୍କ ଉତ୍ତରକୁ ଭୁଲ ଓ ମିଥ୍ୟା ବୋଲି କହି ଆସୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ତେବେ ଏ ଅଭିଯୋଗର ବାସ୍ତବିକତାକୁ ଅନୁଧ୍ୟାନ କରିବାକୁ ସ୍ୱାଧିକାର ନୋଟିସକୁ ଗ୍ରହଣ କରାଯାଉଛି କି ନାହିଁ ତାହା ପରେ ଜଣାପଡିବ ।

Related Posts