ସାବଧାନ ‘ଡ୍ରାମେବାଜ୍’ ସମ୍ବିତ !

ଜଗନ୍ନାଥ ମୋତେ ଡକେଇଛନ୍ତି, ମୋଦୀ ମୋତେ ପଠେଇଛନ୍ତି । ରାଜନୀତିରେ ଧର୍ମୀୟ ଭାବନାକୁ ଘାଣ୍ଟି ଗୋଳେଇ ଫାଇଦା ଉଠାଇବା ଚକ୍କର୍ରେ ଥିବା ସମ୍ବିତ ପାତ୍ରଙ୍କ ପ୍ରତିଦିନ ନୂଆ ନୂଆ ବେଶ ଏବେ ଓଡିଶା ସହ ପୁରୀ ରାଜନୀତିରେ ବେଶ୍ ହାସ୍ୟରୋଳ ସୃଷ୍ଟି କରିଛି । ବର୍ତ୍ତମାନର ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ସାଙ୍ଗକୁ ସମ୍ବିତଙ୍କର ବେଶଭୂଷା, ଠାଣି ଆଉ ବାଣୀକୁ ଲକ୍ଷ୍ୟ କଲେ ପୁରୀରେ ଯେ ନିର୍ବାଚନ ନୁହେଁ ବରଂ, ଫେନ୍ସି ଡ୍ରେସ ପ୍ରତିଯୋଗିତା ଚାଲିଛି ତାହା ଯେ କେହି ଅନୁଭବ କରିପାରିବ ।

ପ୍ରତିଦିନ ଗେରୁଆ ଆଉ ନାଲି ରଙ୍ଗର ଭଳିକି ଭଳି ଉତ୍ତରୀୟ, ଖଣ୍ଡୁଆପାଟ ପିନ୍ଧି ନିଜକୁ ଖାଣ୍ଟି ପୁରୀ ଲୋକ ଭାବେ ପ୍ରଚାର କରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି ସମ୍ବିତ । ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଗୋବର୍ଦ୍ଧନ ମଠକୁ ଯାଇ ତାଙ୍କ ପାଦ ତଳେ ଶୋଇଯିବା, ଆଜୀବନ ମଡର୍ଣ୍ଣ ସାଓାରରେ ଗାଧୋଉଥିବା ସମ୍ବିତ ଚେହେରା ଚମ୍କେଇବା ପାଇଁ ପୋଖରୀ ସ୍ନାନ କରିବା, ଅରୁଆ ଅନ୍ନ ଡାଲମା ଖାଇ ଫେସବୁକ୍ରେ ଫଟୋ ପୋଷ୍ଟ କରିବାରେ ମାତିଛନ୍ତି ସମ୍ବିତ । ଏମିତିକି ନିର୍ବାଚନ ପ୍ରଚାର ବେଲେ ସମ୍ବିତ୍ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରତିମାକୁ ହାତରେ ଧରି ଭୋଟ ଭିକ୍ଷା କରିଛନ୍ତି । ଓଡିଆ ପ୍ରାଣର ଧାର୍ମିକ ଆବେଗକୁ ଆୟୁଧ କରି ସମ୍ବିତ ଶ୍ରୀ ଜଗନ୍ନାଥଙ୍କୁ ଏବଂ ଜଗନ୍ନାଥ ସଂସ୍କୃତିକୁ ଯେମିତି ନିର୍ବାଚନ ପ୍ରଚାର କଣ୍ଢେଇ ଭଳି ବ୍ୟବହାର କରୁଛନ୍ତି ,ତାହା ଯେତିକି ନିନ୍ଦନୀୟ ସେତିକି ଚିନ୍ତାର ବିଷୟ ମଧ୍ୟ । ପ୍ରଚାର ପାଇଁ ପ୍ରାର୍ଥୀ ମାନେ ଅଭିନେତା ଅଭିନେତ୍ରୀମାନଙ୍କୁ ବ୍ୟବହାର କରନ୍ତି । ହେଲେ ପୁରୀ ପରି ପବିତ୍ର ସ୍ଥାନରେ ସମ୍ବିତଙ୍କର ଛଳନାପୂର୍ଣ୍ଣ ଅଭିନୟ ଦେଖିଲେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ ।

ମୁଣ୍ଡରେ ଚିତା ଚୈତନ୍ୟ ମାରି, ଖଣ୍ଡୁଆ ପାଟ ପିନ୍ଧି, ଅରୁଆ ଅନ୍ନ ଡାଲମା ଖାଇ ସମ୍ବିତ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ସଂସ୍କୃତିକୁ ନିଜର ରାଜନୈତିକ କ୍ଷମତା ଯୁଦ୍ଧରେ ଯେମିତି ବ୍ୟବହାର କରୁଛନ୍ତି, ତାହା ଯେ ଓଡିଆ ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ ସମସ୍ତେ ଧିରେ ଧିରେ ବୁଝିବାକୁ ଲାଗିଲେଣି । ବିଜେପିର ରଷ୍ଟ୍ରୀୟ ମୁଖପାତ୍ର ଭାବେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ସମ୍ବିତ ଅତୀତରେ ଥରୁଟିଏ ମଧ୍ୟ ବିପଦରେ ଥିବା ଜଗନ୍ନାଥ ସଂସ୍କୃତି ଉପରେ ପାଟି ଫିଟେଇ ନାହାନ୍ତି । ପୁରୀରେ ବିବାଦୀୟ ଇସ୍କନ ମନ୍ଦିର ନିର୍ମାଣ ଯୋଜନା, ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା ପରି ସମ୍ବେଦନଶୀଳ ଘଟଣାରେ ସମ୍ବିତ ଥରୁଟିଏ ହେଲେ ମଧ୍ୟ ମୁହଁ ଖୋଲି ନଥିଲେ । ହେଲେ ପୁରୀରୁ ପ୍ରାର୍ଥୀ ହେବା ପରେ ପୁରୀ ପ୍ରତି ମିଛ ଭଲପାଇବାର ସେ ଯେଉଁ ସୁଆଙ୍ଗ ରଚୁଛନ୍ତି, ତାହା ତାଙ୍କର ନିକୃଷ୍ଟ ମାନସିକତାକୁ ପଦାରେ ପକାଇଛି ।

ନବକଳେବର ବେଳେ ବିଜେଡିର କିଛି ନେତା ଏବଂ ମନ୍ତ୍ରୀ ଶ୍ରୀ ଜଗନ୍ନାଥଙ୍କୁ ନେଇ ରାଜନୀତି କରିବାକୁ ଉଦ୍ୟମ କରିଥିଲେ । ଦାରୁ ଶଗଡି ବସିବା ସହିତ ଦାରୁ ଚିହ୍ନଟ ପାଇଁ ଯାଇଥିବା ପଣ୍ଢାଙ୍କ ଆଶ୍ରମରେ ଶାସକ ବିଜେଡିର ମନ୍ତ୍ରୀ ଏବଂ ବିଧାୟକ ଯାଇ ଶସ୍ତା ରାଜନୀତି କରିବାକୁ ପଛାଇ ନଥିଲେ । ସେମାନଙ୍କ ଏମିତିକା ଧୃଷ୍ଟତାପୂର୍ଣ୍ଣ କାର୍ଯ୍ୟକଳାପ ଏବେ ସେମାନଙ୍କ ପାଇଁ କାଳ ସାଜିଲାଣି । ଯେଉଁଯେଉଁ ନେତାମାନେ ଏମିତିକା ହୀନ ଚକ୍ରାନ୍ତରେ ସାମିଲ୍ ଥିଲେ ସମସ୍ତଙ୍କର ରାଜନୈତିକ ସ୍ଥିତି ବର୍ତ୍ତମାନ ସଙ୍କଟାପନ୍ନ ସ୍ଥିତିରେ ଅଛି । ଅତୀତରେ ଶ୍ରୀ ଜଗନ୍ନାଥଙ୍କୁ ନେଇ ପ୍ରତ୍ୟେକ୍ଷ ଭାବେ ରାଜନୀତି କରିବାକୁ କେହି କେବେ ସାହସ କରିନାହାନ୍ତି । ଶ୍ରୀ ଜଗନ୍ନାଥଙ୍କୁ ଓଡିଶାର ସାମାଜିକ ଜୀବନରେ ସବୁ କ୍ଷମତା ଯୁଦ୍ଧର ଉଦ୍ଧ୍ୱର୍ରେ ରଖାଯାଇଛି । ଶ୍ରୀ ଜଗନ୍ନାଥ ହିଁ ଓଡିଆଙ୍କ ମୁରବୀ । ଏପରି ସ୍ଥଳେ ଶ୍ରୀ ଜଗନ୍ନାଥ ଏବଂ ସଂସ୍କୃତିଙ୍କୁ ନେଇ ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ପୁରୀବାସୀ ଉଚିତ୍ ଶାସ୍ତି ଦେବେ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଲାଣି ।

Related Posts