ଟିପୁ ସୁଲତାନର ଇତିହାସକୁ ବିଜେପି ଲିଭାଇ ପାରିବନାହିଁ – ଓୱେଶୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟିପୁ ସୁଲତାନ ବିବାଦକୁ ନେଇ ଏଆଇଏମଆଇଏମ ସୁପ୍ରିମୋ ଆସାଦୁଦ୍ଦିନ ଓୱେଶୀ ପୁଣିଥରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ବିଜେପିକୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି ଯେ, ବିଜେପି ଯେତେ ଚେଷ୍ଟା କଲେ ମଧ୍ୟ ଟିପୁଙ୍କ ଇତିହାସକୁ ଲିଭାଇ ପାରିବ ନାହିଁ। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ବିଜେପି ଟିପୁ ଏକ୍ସପ୍ରେସ ଟ୍ରେନର ନାମ ୱୋଡେୟାର ଏକ୍ସପ୍ରେସ ନାମରେ ନାମିତ କରିଛି। ଅନ୍ୟ ଏକ ଟ୍ରେନର ନାମ ୱୋଡେୟାର ଏକ୍ସପ୍ରେସ ରଖାଯାଇ ପାରିଥାନ୍ତା। କିନ୍ତୁ ନା, ସେମାନେ ଜାଣିଶୁଣି ଟିପୁ ସୁଲତାନଙ୍କ ନାମରେ ନାମିତ ଟ୍ରେନକୁ ଟାର୍ଗେଟ କଲେ ଓ ତାଙ୍କ ଇତିହାସ ଲିଭାଇବାକୁ ଚେଷ୍ଟା କଲେ।

ସେ ଆହୁରି କହିଛନ୍ତି ଯେ, ମୁଁ ବିଜେପିକୁ ଚ୍ୟାଲେଞ୍ଜ କରୁଛି, ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଟିପୁଙ୍କ ଇତିହାସକୁ ଲିଭାଇ ପାରିବ ନାହିଁ। ଟିପୁ ସୁଲତାନ ବିଜେପିର ବ୍ରିଟିଶ ମାଷ୍ଟରଙ୍କ ବିରୋଧରେ ଯୁଦ୍ଧ ଡକରା ଦେଇଥିଲେ ସେଥିପାଇଁ ବିଜେପି ଟିପୁଙ୍କ ଇତିହାସ ଲିଭାଇବାକୁ ଚେଷ୍ଟା କରୁଛି ବୋଲି ଓୱେଶୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମିସୁରୁ ସାଂସଦ ପ୍ରତାପ ସିମହାଙ୍କ ଅନୁରୋଧ ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ‘ଟିପୁ ଏକ୍ସପ୍ରେସ’ ଟ୍ରେନର ନାମ ୱୋଡେୟାର ଏକ୍ସପ୍ରେସରେ ପରିବର୍ତ୍ତନ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଆସାଦୁଦ୍ଦିନ ଓୱେଶୀ ବିଜେପିକୁ କଡା ଟାର୍ଗେଟ କରିଛନ୍ତି।

Related Posts