ଆସନ୍ତା ୧୩ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା : ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉପକୂଳ ଓଡ଼ିଶାର ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏନେଇ ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଦଶହରା ପରି କୁମାରପୂର୍ଣିମା ମଧ୍ୟ ଫିକା ପଡ଼ିଯାଇଛି। ତେବେ ଏହି ବର୍ଷା ଆସନ୍ତା ୧୩ ତାରିଖ ଯାଏଁ ଲାଗି ରହିବ। ଏନେଇ ୧୦ତାରିଖରେ ବି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ସେଥିଲାଗି ଏହି ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୦ତାରିଖରେ ଗଞ୍ଜାମ, ଗଜପତି, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ,କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ମଧ୍ୟ କରାଯାଇଛି ।

ଅକ୍ଟୋବର ୧ରୁ ୭ ତାରିଖ ମଧ୍ୟରେ ରାଜ୍ୟରେ ପ୍ରାୟ ୭୦ ମିଲିମିଟର ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ଭାବେ ୪୦ମିମି ବର୍ଷା ହେବା କଥା । କିନ୍ତୁ ଘୂର୍ଣ୍ଣିବଳୟ ପ୍ରଭାବରୁ ସ୍ୱାଭାବିକଠାରୁ ଅଧିକ ବର୍ଷିଛି । ଭଦ୍ରକରେ ସର୍ବାଧିକ ୨୦୯% ଅଧିକ ବର୍ଷା ହୋଇଛି । ପୁରୀରେ ୨୦୭%, କଟକରେ ୧୯୪%, ଗଞ୍ଜାମରେ ୧୬୭%, ବାଲେଶ୍ୱରରେ ୧୬୪%, ଦେବଗଡ଼ରେ ୧୪୯%, କେନ୍ଦ୍ରାପଡ଼ାରେ ୧୫୩%, ଜଗତସିଂହପୁରରେ ୧୩୬%, ମୟୂରଭଞ୍ଜରେ ୧୩୦%, ସମ୍ବଲପୁରରେ ୧୦୪% ଅଧିକ ବର୍ଷା ହୋଇଛି । ନୂଆପଡ଼ାରେ ଅକ୍ଟୋବର ପ୍ରଥମ ସପ୍ତାହରେ ସ୍ୱାଭାବିକଠାରୁ ସବୁଠୁ କମ୍ ବର୍ଷା ହୋଇଛି । ଏଠାରେ ୬୦% କମ୍ ବର୍ଷା ହୋଇଛି । ନବରଙ୍ଗପୁରରେ ୫୫%, ମାଲକାନଗିରିରେ ୪୧% ଓ କଳାହାଣ୍ଡିରେ ୩୩% କମ୍ ବର୍ଷିଛି । କୋରାପୁଟ ଓ ବଲାଙ୍ଗିରରେ ସ୍ୱାଭାବିକ ବର୍ଷା ହୋଇଛି ।

Related Posts