ନୂଆଦିଲ୍ଲୀ : ଦିଲ୍ଲୀ ଲୋକସଭା ସାଂସଦ ତଥା ବିଜେପି ନେତା ମନୋଜ ତିୱାରୀଙ୍କୁ ପଡିଲା ପୋଲିସର ଛାଟ । ବୁଧବାର ଲାଲକିଲ୍ଲାରୁ ବାହାରିଥିବା ତ୍ରିରଙ୍ଗା ଯାତ୍ରାରେ ମନୋଜ ତିୱାରୀ ବିନା ହେଲମେଟ୍‌ରେ ବାଇକ୍‌ ଚଳାଉଥିଲେ, ଏଥିସହ ସେ ଯେଉଁ ବାଇକ୍ ଚଳାଉଥିଲେ ତାର ନମ୍ବର ପ୍ଲେଟ୍‌ ନଥିଲା କି ତିୱାରୀଙ୍କର ମୋଟର ସାଇକେଲ ଡ୍ରାଇଭିଂ ଲାଇସେନ୍ସ ନଥିଲା। ଏନେଇ ପଲ୍ୟୁସନ ସାର୍ଟିଫିକେଟ ନଥିବାରୁ ପୋଲିସ ୪୧ ହଜାର ଟଙ୍କାର ଚାଲାଣ କାଟିଛି।

ଏନେଇ ମନୋଜ ତିୱାରୀ ଗୁରୁବାର ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ତୁରନ୍ତ ଚାଲାଣ ବାବଦ ଅର୍ଥ ଜମା କରିଦେବେ ବୋଲି ଉଲ୍ଲେଖ କରିଥିବା ବେଳେ ହେଲମେଟ୍ ନ ପିନ୍ଧି ମୋଟାର ସାଇକେଲ ଚଳାଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ସେ ଯେଉଁ ଭୁଲ କରିଛନ୍ତି ସେପରି ଭୁଲ ଯେପରି ଆଉ କେହି ନ କରନ୍ତୁ ସେଥିପାଇଁ ତିୱାରୀ ଟ୍ୱିଟ୍‌ରେ ଲୋକଙ୍କୁ ନିବେଦନ କରିଛନ୍ତି। କାରଣ ଘରେ ଆପଣଙ୍କ ପରିବାର ଓ ସାଙ୍ଗସାଥୀ ଆପଣଙ୍କୁ ଅପେକ୍ଷା କରିଥିବା ଉଲ୍ଲେଖ କରିଛନ୍ତି।

ଦିଲ୍ଲୀ ଟ୍ରାଫିକ ପୋଲିସ ତିୱାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ହେଲମେଟ୍ ପିନ୍ଧି ନଥିବାରୁ ୧ ହଜାର ଟଙ୍କା ଜରିମନା କରିଥିବା ବେଳେ ବାଇକର ପଲ୍ୟୁସନ ସାର୍ଟିଫିକେଟ୍ ନଥିବାରୁ ୧୦ ହଜାର ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା, ବାଇକ୍‌ର ନମ୍ବର ପ୍ଲେଟ୍ ନଥିବାରୁ ୫ ହଜାର ଟଙ୍କା ତଥା ବାଇକ ଓନର ଭାୟୋଲେସନ ଲାଗି ୨୦ ହଜାର ଟଙ୍କା ଏହି ପରି ମୋଟ ୪୧ ହଜାର ଟଙ୍କାର ଚାଲାଣ କଟିଛି।

ବରିଷ୍ଠ ଟ୍ରାଫିକ ପୋଲିସ ଅଧିକାରୀ ସାଂସଦଙ୍କ ପାଖରେ ଚଳାଉଥିବା ବାଇକ୍ ର ରେଜିଷ୍ଟ୍ରେସନ ନଥିବା ବେଳେ ପଲ୍ୟୁସନ ସାର୍ଟିଫିକେଟ୍ ମଧ୍ୟ ନଥିଲା। ସେହିପରି ସାଂସଦ ଗାଡି ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ରଖିନଥିବା ବେଳେ ହେଲମେଟ୍ ମଧ୍ୟ ପିନ୍ଧି ନଥିଲେ ବୋଲି କହିଛନ୍ତି। ଏଣୁ ସାଂସଦଙ୍କ ଚାଲାଣ କଟିଥିବା ବେଳେ ଗାଡ଼ି ମାଲିକ ନାମରେ ପୃଥକ ଚାଲାଣ କଟିଥିବା ଅଧିକାରୀ କହିଛନ୍ତି ।