ଉପରାଷ୍ଟ୍ରପତିଙ୍କ ପଦ ବିଷୟରେ ଜାଣିବା କିଛି ଖାସ୍ କଥା, ତାଙ୍କୁ କଣ କଣ ମିଳେ ସୁବିଧା

ନୂଆଦିଲ୍ଲୀ: ଦେଶକୁ ମିଳିଛି ନୂଆ ରାଷ୍ଟ୍ରପତି, ତେବେ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ। କିଛି ଦିନ ପରେ ଦେଶକୁ ମିଳିଯିବ ନୂଆ ଉପରାଷ୍ଟ୍ରପତି । ବିଜେପି ପକ୍ଷରୁ ଜଗଦ୍ଦୀପ ଧନଖଡଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ମିଳିତ ବିରୋଧୀ ଦଳ ପକ୍ଷରୁ ମାର୍ଗାରେଟ ଆଲଭା ଉପରାଷ୍ଟ୍ରପତି ପଦବୀ ନିମନ୍ତେ ପ୍ରାର୍ଥୀ ହୋଇଛନ୍ତି।

ଏଥି ପାଇଁ ଜୁଲାଇ ୧୯ ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିବା ବେଳେ ୬ ଅଗଷ୍ଟ ଶନିବାର ଉପରାଷ୍ଟ୍ରପତି ନିର୍ବାଚନ ହେବ। ରାଷ୍ଟ୍ରପତିଙ୍କ ପରେ ଉପରାଷ୍ଟ୍ରପତି ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ।

ଦେଶକୁ ନୂଆ ଉପରାଷ୍ଟ୍ରପତି ମିଳିବା ପୂର୍ବରୁ ଆସନ୍ତୁ ଜାଣିବା ଏହି ପଦର କିଛି ଖାସ କଥା। ଯେପରିକି ଉପରାଷ୍ଟ୍ରପତିଙ୍କ ବେତନ, ଭତ୍ତା ଓ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ଆସନ୍ତୁ ଜାଣିବା।

ଉପରାଷ୍ଟ୍ରପତି ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ। ଏଥି ଲାଗି ପ୍ରାର୍ଥୀ ଭାରତର ନାଗରିକ ହୋଇଥିବା ଦରକାର। ବୟସ ଅନୁନ୍ୟ ୩୫ ବର୍ଷ ବା ତୁର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ ଓ ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ତାଙ୍କର ଯୋଗ୍ୟତା ଥିବା ଆବଶ୍ୟକ।

ଉପରାଷ୍ଟ୍ରପତିଙ୍କ ବେତନ
ଭାରତର ଉପରାଷ୍ଟ୍ରପତିଙ୍କ ବେତନ ସଂସଦ ଅଧିକାରୀଙ୍କ ବେତନ ଓ ଭତ୍ତା ଅଧିନିୟମ ୧୯୫୩ ଅନୁସାରେ ଧାର୍ଯ୍ୟ ହୋଇଥାଏ। ଉପରାଷ୍ଟ୍ରପତିଙ୍କୁ ସଂସଦର ବାଚସ୍ପତିଙ୍କ ବେତନ ଓ ଭତ୍ତା ମିଳିଥାଏ। କାରଣ ନିର୍ବାଚିତ ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ମଧ୍ୟ ହୋଇଥାନ୍ତି। ସେହି ଅନୁସାରେ ଉପରାଷ୍ଟ୍ରପତିଙ୍କୁ ମାସିକ ୪ ଲକ୍ଷ ଟଙ୍କା ବେତନ ମିଳିଥାଏ। ଯେତେବେଳେ ରାଷ୍ଟ୍ରପତି ବାହାରେ ଥାନ୍ତି ସେତେବେଳେ ଉପରାଷ୍ଟ୍ରପତି ତାଙ୍କ କାର୍ଯ୍ୟବାହକ ରୂପେ କାର୍ଯ୍ୟ ତୁଲାଇଥାନ୍ତି। ସେତେବେଳେ ତାଙ୍କୁ ରାଷ୍ଟ୍ରପତିଙ୍କ ବେତନ ଓ ସୁବିଧା ମିଳିଥାଏ।

ଉପରାଷ୍ଟ୍ରପତିଙ୍କ ଭତ୍ତା ଓ ସୁବିଧା
ଉପରାଷ୍ଟ୍ରପତିଙ୍କୁ ସରକାରୀ ଆବାସ ଯୋଗାଇ ଦିଆଯାଇଥାଏ। ତାଙ୍କ ଆବାସ ଉପରାଷ୍ଟ୍ରପତି ଭବନ ଭାବେ ପରିଚିତ। ନୂଆଦିଲ୍ଲୀ ମୌଲାନା ଆଜାଦ ରୋଡ ବଙ୍ଗଳା ନମ୍ବର ୬ ଉପରାଷ୍ଟ୍ରପତି ଆବାସ ଭାବେ ବ୍ୟବହୃତ ହୋଇ ଆସୁଛି। ଉପରାଷ୍ଟ୍ରପତି ଭବନ ୬.୪୮ ଏକର ଜମି ଉପରେ ବ୍ୟାପ୍ତ। ବର୍ତ୍ତମାନର ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁ ୨୦୧୯ ମସିହାରେ ଉପରାଷ୍ଟ୍ରପତି ଭବନର ଏକ ଛବି ତାଙ୍କ ଟ୍ୱିଟରରେ ସେୟାର କରିଥିଲେ।

ସାଲାରୀ ଓ ଆବାସ ବାଦେ ମିଳେ କେଉଁ ସବୁ ସୁବିଧା
ଉପରାଷ୍ଟ୍ରପତିଙ୍କୁ ମହଙ୍ଗା ଭତ୍ତା (ଡିଏ) ସମେତ ତାଙ୍କ ସ୍ୱାସ୍ଥ୍ୟ ସେବା ଲାଗି ପୁରା ମେଡିକାଲ ଖର୍ଚ୍ଚ ପ୍ରଦାନ କରାଯାଇଥାଏ। ତାଙ୍କ ବାହନ ଲାଗି ପୂର୍ଣ୍ଣକାଳୀନ ଚାଳକ ସମେତ ଇନ୍ଧନର ପୁରା ଖର୍ଚ୍ଚ ଓ ପ୍ରାଇଭେଟ କାର ବାବଦ ବ୍ୟୟ ସରକାର ବହନ କରନ୍ତି। ଉପରାଷ୍ଟ୍ରପତିଙ୍କୁ ଟ୍ରେନ ଓ ବିମାନରେ ନିଶୁଳ୍କ ଯାତ୍ରା ସୁବିଧା ମଧ୍ୟ ମିଳେ। ଏହା ଛଡା ମାଳି, ରୋଷେୟା, ସଫେଇ କର୍ମୀଙ୍କ ସମେତ ଅନ୍ୟ ବ୍ୟକ୍ତିଗତ ଷ୍ଟାଫ ଓ ସୁରକ୍ଷା କର୍ମୀ ମଧ୍ୟ ଦିଆଯାଏ। ସେହିପରି ଲ୍ୟାଣ୍ଡ ଲାଇନ ଫୋନ ଓ ଏହାର ପୁରା ଖର୍ଚ୍ଚ ସାଙ୍ଗକୁ ମୋବାଇଲ ଫୋନ ଓ ଏ ବାବଦେ ପୁରା ବ୍ୟୟ ମଧ୍ୟ ସରକାର ବହନ କରନ୍ତି। ଅବସର ପରେ ବେତନର ୫୦ ପ୍ରତିଶତ ପେନସନ୍ ରୂପେ ଆଜୀବନ ମିଳେ ସାଙ୍ଗକୁ ଜୀବନ ବ୍ୟାପୀ ହସ୍ପିଟାଲ ବ୍ୟୟ ମଧ୍ୟ ସରକାର ତୁଲାଇଥାନ୍ତି ।

Related Posts