ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମାମଲାର ଶୁଣାଣି ଜୁଲାଇ ୬ , ଶୁଭେନ୍ଦୁ ଅଧିକାରୀଙ୍କ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ କଲେ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନୀ ସଭାରେ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଦେଇଥିବା ବିବାଦୀୟ ବୟାନକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ଏହି ମାମଲାର ଶୁଣାଣି ଜୁଲାଇ ୬ ପର୍ଯ୍ୟନ୍ତ କଲିକତା ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଜଷ୍ଟିସ କୌସିକ ଚନ୍ଦା ଏହି ମାମଲାର ଶୁଣାଣି କରିବେ। ଜଷ୍ଟିସ୍ ଚନ୍ଦା କହିଛନ୍ତି ଯେ ଏହି ସମୟ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ।ତାଙ୍କ ଭାଷଣ ହିଂସା ଉତ୍ତେଜନାପୂର୍ଣ୍ଣ ବୋଲି ଅଭିଯୋଗ କରି ମାଣିକତାଲା ପୋଲିସ ଷ୍ଟେସନରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା ।ମାଣିକତାଲା ଥାନାରେ ଦାଖଲ ହୋଇଥିବା ଅଭିଯୋଗରେ ଦାବି କରାଯାଇଥିଲା ଯେ ମାର୍ଚ୍ଚ ୭ ତାରିଖରେ ମିଥୁନ ବିଜେପିରେ ସାମିଲ ହେବା ପରେ ଆୟୋଜିତ ସଭାରେ କହିଥିଲେ କି ‘ମାରବୋ ଏଖାନା, ଲାସ ପୋରବେ ସେଖାନେ’ ଅର୍ଥାତ ଏଠାରେ ତୁମକୁ ମାରିଲେ ସେଠାରେ ତୁମର ଲାସ ପଡିବ।ସେହିପରି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳର ନେତା ସୁଭେନ୍ଦୁ ଆଧୀକାରୀ ଏବଂ ତାଙ୍କ ଭାଇ ସୌମେନ୍ଦ ଅଧୀକାରୀଙ୍କ ବିରୋଧରେ ରାସନ ଚୋରି ସହ ଜଡିତ ଅନ୍ୟ ଏକ ମାମଲାର ଶୁଣାଣି ଜୁଲାଇ ୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସୂଚନାଯୋଗ୍ୟ ଯେ, ଜୁନ୍ ୧ ରେ ରିଲିଫ ସାମଗ୍ରୀ ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ଏବଂ ତାଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ ହୋଇଥିଲା। ଅଭିଯୋଗ ଅନୁଯାୟୀ ପୂର୍ବ ମେଦିନାପୁରର କୋଣ୍ଟାଇ ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। କୋଣ୍ଟାଇ ମ୍ୟୁନିସିପାଲିଟିର ଆଡମିନିଷ୍ଟ୍ରେଟର ବୋର୍ଡର ସଦସ୍ୟ ରତ୍ନଦୀପ ମାନ୍ନା ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ମେ ୨୯ରେ ହିମାଂଶୁ ମାନ୍ନା ଏବଂ ପ୍ରତାପ ଦେ କୋଣ୍ଟାଇ ମ୍ୟୁନିସିପାଲିଟିର ସରକାରୀ ଗୋଦାମରୁ ଏକ ଟ୍ରକ୍ ବୋଝେଇ ରିଲିଫ ସାମଗ୍ରୀ ନେଇଯାଇଥିଲେ। ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା ଯେ ଯେତେବେଳେ ଅଭିଯୋଗକାରୀ, ପୌରପାଳିକାର ଅନ୍ୟ ସଦସ୍ୟମାନଙ୍କ ସହିତ ଗୋଦାମକୁ ଯାଞ୍ଚ କରିବାକୁ ଯାଇଥିଲେ, ସେମାନେ ସେଠାରେ ହିମାଂଶୁ ମାନ୍ନାଙ୍କୁ ଭେଟିଥିଲେ। ତାଙ୍କୁ ପଚାରାଯିବାରୁ, ସେ କହିଥିଲେ ଯେ ଶୁଭେନ୍ଦୁ ଅଧିକାରୀ ଏବଂ ସୌମେନ୍ଦୁ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଆଯାଇଛି।

Related Posts