
ନୂଆଦିଲ୍ଲୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଯାହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ସୋନାଲି ଫୋଗାଟଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଶରୀରକୁ କୌଣସି ବସ୍ତୁ ସାହାଯ୍ୟରେ ଅନେକ ଥର ଆଘାତ ଦିଆଯିବାର ଉଲ୍ଲେଖ କରାଯାଇଛି। ଗୁରୁବାର ଏହି ଖବର ସାମନାକୁ ଆସିଛି ।
ଗୋଆ ପୋଲିସ ଫୋଗାଟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ।
ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ୪୨ ବର୍ଷୀୟ ଫୋଗାଟଙ୍କ ମୃତ୍ୟୁ ମାମଲାରେ ଆଇପିସିର ୩୦୨ ଯୋଡା ଯାଇଛି । ସେ କହିଛନ୍ତି ମାମଲାରେ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ବାସିଙ୍କୁ ଅଭିଯୋଗ ଦର୍ଶାଯଆଇଛି । ଅଗଷ୍ଟ ୨୨ରେ ଫୋଗାଟ ଗୋଆ ପହଞ୍ଚିବା ସମୟରେ ତାଙ୍କ ସହ ସାଙ୍ଗୱାନ ଏବଂ ବାସି ଆସିଥିଲେ । ସୋନାଲି ଫୋଗାଟଙ୍କ ଭାଇ ରିଙ୍କୁ ଢାକା ଦୁହିଁଙ୍କ ବିରୋଧରେ ବୁଧବାର ଅଞ୍ଜୁନା ଥାନାରେ ଅଭିଯୋଗ କରିଥିଲେ ।
ହରିୟାଣାର ହିସାର ନିବାସୀ ସୋନାଲି ଫୋଗାଟ ବିଜେପି ନେତ୍ରୀ ଏବଂ ଟିକଟକ ଷ୍ଟାର ଥିଲେ । ପୋଲିସ ସୂଚନା ଅନୁସାରେ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ହୃଦଘାତ ହୋଇଥିଲା ଏବଂ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା।