ଫିଲ୍ମ “ରାମ ସେତୁ” ପାଇଁ ଅଭିନେତା ଅକ୍ଷୟ କୁମାରଙ୍କୁ ନୋଟିସ ପଠାଇଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଭିନେତା ଅକ୍ଷୟ କୁମାରଙ୍କୁ ଫିଲ୍ମ ରାମ ସେତୁ ପାଇଁ ଆଇନଗତ ନୋଟିସ ପଠାଇଛନ୍ତି । ଅଭିନେତା ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିସ ଏବଂ ଫିଲ୍ମର ନିର୍ମାତାଙ୍କୁ ମଧ୍ୟ ଏହି ନୋଟିସ ପଠାଇଛନ୍ତି ସୁବ୍ରମଣ୍ୟମ ସ୍ୱାମୀ। ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ରାମ ସେତୁ ଉପରେ ନିର୍ମିତ ହୋଇଛି। ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ଫିଲ୍ମରେ ଭୁଲ ତଥ୍ୟ ଦର୍ଶାଯାଇଛି । ଏଥିପାଇଁ ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ ଟିମକୁ ଦାୟୀ କରିଛନ୍ତି ସ୍ବାମୀ।

ଏନେଇ ସୁବ୍ରମଣ୍ୟମ ସ୍ୱମୀ ଟ୍ୱିଟ କରି କହିଛନ୍ତି, “ବଲିଉଡର ଲୋକ ମାନଙ୍କର ମିଛ କହିବା ଏବଂ ଭୁଲ ସୂଚନା ଦେବାର ଖରାପ ଅଭ୍ୟାସ ରହିଛି । ଏଥିପାଇଁ ବୌଦ୍ଧିକ ସମ୍ପଦ ଅଧିକାର ଶିକ୍ଷା ଦେବା ପାଇଁ ଆଇନଜୀବୀ ସତ୍ୟ ସଭରୱାଲାଙ୍କ ମାଧ୍ୟମରେ ରାମ ସେତୁ ଗାଥାକୁ ବିକୃତ କରିବା ନେଇ ଅଭିନେତା ଅକ୍ଷୟ କୁମାର ଏବଂ ୮ ଜଣଙ୍କୁ ଲିଗଲ ନୋଟିସ ଜାରି କରିଛି ।”

ତେବେ ଏହି ନୋଟିସରେ କୁହାଯାଇଛି ଯେ, ରାମ ସେତୁ ନାମକ ଏକ ଫିଲ୍ମ ନିର୍ମାଣ କରାଯାଇଛି ଏବଂ ଏହା ଆସନ୍ତା ଅକ୍ଟୋବର ୨୪ରେ ରିଲିଜ ହେବାକୁ ପ୍ରସ୍ତୁତି କରୁଛି। ଏହି ନୋଟିସ ଫିଲ୍ମରେ ରାମ ସେତୁକୁ ନେଇ କୌଣସି ପ୍ରକାର ମିଛ, ଭୁଲ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ପ୍ରତିନିଧିତ୍ୱକୁ ରୋକିବା ପାଇଁ ପଠାଯାଇଛି । ଏହାସହ ଫିଲ୍ମର ସ୍କ୍ରିଫ୍ଟକୁ ସେୟାର କରିବା ପାଇଁ ଏଥିରେ କୁହାଯାଇଛି । ଯାହା ଦ୍ୱାରା କୌଣସି ପ୍ରକାର ମିଛ ଏବଂ ପରିସ୍ଥିତିର ଭୁଲ ଚିତ୍ରଣକୁ ରୋକାଯାଇ ପାରିବ। ଏହାସହ ଏହି ମାମଲାକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମାଧାନ କରାଯିବା ଦରକାର ବୋଲି ଉଲ୍ଲେଖ କରାଯାଇଛି।

Related Posts