୨୦୨୪ ସାଧାରଣ ନିର୍ବାଚନ ଜିତିବା ବିଜେପି ପାଇଁ ସହଜ ହେବନାହିଁ : ସୁବ୍ରମଣ୍ୟମ ସ୍ୱାମୀ


ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଭାରତୀୟ ଜନତା ପାର୍ଟି ୨୦୨୪ ସାଧାରଣ ନିର୍ବାଚନ ଜିତିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଦଳର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ। ମହାରାଷ୍ଟ୍ର ନାଗପୁରରେ ପଞ୍ଚାୟତ ସମିତି ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ସେ ଆଗାମୀ ଲୋକସଭା ନର୍ବାଚନରେ ବିଜେପିର ବିଜୟକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି। ଦେଶରେ ଦୁର୍ବଳ ହେଉଥିବା ଅର୍ଥବ୍ୟବସ୍ଥା ଓ ଭାରତ ସୀମାରେ ଚୀନର ଅକ୍ତିଆର ପରେ ୨୦୨୪ ନିର୍ବାଚନ ବିଜେପି ପାଇଁ ଜିତିବା ସେତେଟା ସହଜ ହେବନାହିଁ ବୋଲି ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏହା ବିଜେପି ପାଇଁ ଏକ ପୂର୍ବ ଚେତାବନୀ। ଦୁର୍ବଳ ଅର୍ଥବ୍ୟବସ୍ଥା ଓ ଭାରତ ସୀମାର ଅନେକ ଅଞ୍ଚଳ ଚୀନ୍‌ ହାତକୁ ଯିବାର ପରିଣାମ ସ୍ୱରୂପ ୨୦୨୪ରେ ବିଜେପି ପରାଜୟର ସମ୍ନା କରିବ। ସେ ଏହି ଟ୍ୱିଟ ସହ ଏକ ୟୁଟ୍ୟୁବ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ନିଜ ଗଡ଼ ନାଗପୁରରେ ପରାଜୟ ବିଜେପି ପାଇଁ ଚେତାବନୀ ବୋଲି ସେ କହିଛନ୍ତି। ଏହି ଭିଡିଓରେ କୁହାଯାଇଛି ଯେ ନାଗପୁରରେ ଦେବେନ୍ଦ୍ର ଫଡନାଭିସ, ନୀତିନ ଗଡ଼କରୀଙ୍କ ଭଳି ବିଜେପିର ହେବିୱେଟ୍ ନେତାଙ୍କ ନିର୍ବାଚନ କ୍ଷେତ୍ର ରହିଛି। ଏଠାରେ ବିଜେପିର ପରାଜୟ ଏକ ବଡ଼ କଥା। ବିଜେପି ନିଜର ଗଡ଼ରେ କେଉଁଥିପାଇଁ ପରାଜୟର ସାମ୍ନା କରିଛି, ତାହାର ସମୀକ୍ଷା ଏବେଠାରୁ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ନାଗପୁର ଜିଲ୍ଲାରେ ବିଜେପି ମହାରାଷ୍ଟ୍ର ଅଧ୍ୟକ୍ଷ ଚନ୍ଦ୍ରଶେଖର ବାବନକୁଳେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡଣବିସ ଓ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନିର୍ବାଚନୀ କ୍ଷେତ୍ର ରହିଛି। ଏହା ବ୍ୟତୀତ ନାଗପୁରରେ ରାଷ୍ଟ୍ରୀୟ ସଂୟସେବକର ମୁଖ୍ୟାଳୟ ମଧ୍ୟ ରହିଛି। ନିକଟରେ ଏଠାରେ ହୋଇଥିବା ପଞ୍ଚାୟତ ସମିତି ନିର୍ବାଚନରେ ବିଜେପି ଗୋଟିଏ ହେଲେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଜିତି ପାରିନାହିଁ। ଯାହା ବିଜେପିକୁ ବଡ଼ ଝଟ୍‌କା ବୋଲି ବିବେଚନା କରାଯାଉଛି।

Related Posts