“କଂଗ୍ରେସରେ ଯୋଗଦେବା ଅପେକ୍ଷା କୂଅକୁ ଡେଇଁବା ଭଲ”, ବନ୍ଧୁଙ୍କ ପରାମର୍ଶରେ ନୀତିନ ଗଡକରୀଙ୍କ ଉତ୍ତର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିକଟରେ ନବଗଠିତ ବିଜେପି ସଂସଦୀୟ ବୋର୍ଡରୁ ବାଦ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ଏହାପରେ ତାଙ୍କୁ ଜଣେ ବନ୍ଧୁ କଂଗ୍ରେସରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ ବୋଲି ସେ କହିଛନ୍ତି। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବାବେଳେ ନୀତିନ ଗଡକରୀ ଏହା ପ୍ରକାଶ କରିଛନ୍ତି। ନୀତିନ କହିଛନ୍ତି ଯେ, “ମୋର ବନ୍ଧୁ ତଥା କଂଗ୍ରେସ ନେତା ଶ୍ରୀକାନ୍ତ ଜିଚକର ମୋତେ ବିଜେପି ଛାଡି କଂଗ୍ରେସରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ। ହେଲେ ମୁଁ ଏହାକୁ ପ୍ରତ୍ୟାଖାନ କରିଥିଲି। ମୋର ଆଦର୍ଶ କଂଗ୍ରେସ ସହିତ ମେଳ ଖାଉ ନାହିଁ ବୋଲି ତାଙ୍କୁ କହିଥିଲି। କଂଗ୍ରେସକୁ ଯିବା ବଦଳରେ କୂଅକୁ ଡେଇଁବା ଭଲ ବୋଲି ମୁଁ ତାଙ୍କୁ ଉତ୍ତର ଦେଇଥିଲି।” ନିତିନ ଗଡକରୀ ଆହୁରି କହିଛନ୍ତି ଯେ “ଏକ ସମୟ ଥିଲା ଯେତେବେଳେ ମୁଁ ଜଣେ ଛାତ୍ର ନେତା ଥିଲି ଏବଂ ଭାଜପାକୁ ଅନେକ ସମୟରେ ପରାଜୟର ସାମ୍ନା କରିବାକୁ ପଡୁଥିଲା। ହେଲେ ସେତେବେଳେ ଆମେ ଦଳ ସହିତ ରହୁଥିଲୁ।”

ଗଡକରୀ ଏହି ସଭାରେ ଆହୁରି କହିଛନ୍ତି ଯେ “ଯେତେବେଳେ ତୁମେ ସଫଳତା ପାଇବ ଏବଂ ତୁମର ଖୁସି କେବଳ ତୁମର ହେବ ସେତେବେଳେ ଏହାର କୌଣସି ଅର୍ଥ ନଥାଏ। ଯଦି ତୁମର ସଫଳତାର ଆନନ୍ଦ ତୁମ ସହିତ କାମ କରୁଥିବା ଲୋକଙ୍କ ପାଖକୁ ଯାଏ, ତେବେ ଏହାହିଁ ତୁମର ପ୍ରକୃତ ସଫଳତା। ବ୍ୟବସାୟ ହେଉ କିମ୍ବା ରାଜନୀତି ଉଭୟରେ ଲୋକ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ପରିସ୍ଥିତି ଯାହା ହେଉନା କାହିଁକି କାହାକୁ ବ୍ୟବହାର କରି ଫିଙ୍ଗିବା ଉଚିତ ନୁହେଁ। ରିଚାର୍ଡ ନିକ୍ସନଙ୍କ ଗୋଟିଏ କଥା ବିଷୟରେ ଗଡକରୀ କହିଛନ୍ତି ଯେ ଜଣେ ବ୍ୟକ୍ତି ହାରିବା ଦ୍ୱାରା ଶେଷ ହୁଏ ନାହିଁ, କିନ୍ତୁ ଯୁଦ୍ଧକ୍ଷେତ୍ର ଛାଡି ଦେଲେ ସବୁ ଶେଷ ହୋଇଥାଏ। ସେ କହିଛନ୍ତି ଯେ ଅହଂକାର ଏବଂ ଆତ୍ମବିଶ୍ୱାସ ମଧ୍ୟରେ ପାର୍ଥକ୍ୟ କ’ଣ ଆମେ ସବୁବେଳେ ମନେ ରଖିବା ଉଚିତ।

Related Posts