୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗସ୍ତ ନେଇ ବିସ୍ତୃତ କାର୍ଯ୍ୟସୂଚୀ ଜାରିକଲା ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏନେଇ ବିଜେପି ପକ୍ଷରୁ ତାଙ୍କ ଓଡିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚି ଦିଆଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୯ ତାରିଖ ଦିନ ୧୦ ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ତାଙ୍କୁ ବିଶାଳ ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯିବ ।ରାଜ୍ୟ କାର୍ଯ୍ୟାଳୟରୁ ସେ ଜନତା ମଇଦାନ ଯିବେ । ସେଠାରେ ଦିନ ୧୧ ଟା ବେଳେ ଓଡ଼ିଶାର ପ୍ରତ୍ୟେକ ଶକ୍ତି କେନ୍ଦ୍ରର ତିନି ଜଣ ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ ରହିଛି । ସେଠାରେ ଜେପି ନଡ୍ଡା ଶକ୍ତି କେନ୍ଦ୍ରର ପ୍ରମୁଖ ମାନଙ୍କୁ ସମ୍ବୋଧିତ କରିବେ ।

ଏହା ପରେ ତାଙ୍କର ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ବୈଠକ ରହିଛି । ଯେଉଁଥିରେ ସେ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି,ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ପ୍ରଭାରୀ ମାନଙ୍କ ସହ ଭିନ୍ନ ଭିନ୍ନ ପର୍ଯ୍ୟୟରେ ବୈଠକ କରିବେ । ଏହା ସହ ସାଙ୍ଗଠନିକ ବୈଠକ ବି ହେବ । ଏବଂ ସେହିଦିନ ରାତିରେ ପୁରୀ ଗସ୍ତ କରିବେ ଜେପି ନଡ୍ଡା । ୩୦ ତାରିଖ ସକାଳେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ ।

ଏହାପରେ ସେଠାରୁ ସିଧାସଳଖ ଭଦ୍ରକ ଧାମନଗର ଯିବେ । ଦିବଙ୍ଗତ ନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାରଙ୍କୁ ଭେଟିବେ ଜେପି ନଡ୍ଡା । ସେଠୁ ଫେରିବା ପରେ ଦିନ ୧୧ ଟା ବେଳେ ୭ଟି ମୋର୍ଚ୍ଚାର ଜିଲ୍ଲା କମିଟିର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରିବେ । ଏହି ବୈଠକ ମଧ୍ୟ ଜନତା ମଇଦାନରେ ହେବ । ଯାହା କି ସଂଯୁକ୍ତ ମୋର୍ଚ୍ଚର ସମାବେଶ ହେବ । ସେହି ଦିନ ସନ୍ଧ୍ୟାରେ ହିଁ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

Related Posts