
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିଶୁ ଯୌନ ଅଶ୍ଳୀଳ ଭିଡିଓ ମାମଲାରେ ସିବିଆଇ ପକ୍ଷରୁ ଆଜି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶନିବାର ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ସିବିଆଇ ଟିମ୍ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ସିବିଆଇର ଏହି କାର୍ଯ୍ୟକୁ ‘ଅପରେସନ ମେଘଚକ୍ର’ ବୋଲି କୁହାଯାଉଛି।
ସିବିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହିପରି ଅନେକ ଗ୍ୟାଙ୍ଗକୁ ଚିହ୍ନଟ କରାଯାଇଛି ଯାହା କେବଳ ଶିଶୁ ଯୌନ ଅଶ୍ଳୀଳତା ଭିଡିଓ ସହ ଜଡ଼ିତ ସାମଗ୍ରୀ ଏବଂ ପିଲାମାନଙ୍କୁ ଶାରୀରିକ ଭାବେ ବ୍ଲାକମେଲ କରି ସେମାନଙ୍କୁ ବ୍ୟବହାର କରିଥାନ୍ତି। ଏହି ଗ୍ୟାଙ୍ଗଗୁଡିକ ଉଭୟ ଗୋଷ୍ଠୀ ଗଠନ କରି ଏବଂ ବ୍ୟକ୍ତିଗତ ଭାବେ କାର୍ଯ୍ୟ କରିଥାନ୍ତି ବୋଲି କୁହାଯାଉଛି। ସିବିଆଇର ଇଣ୍ଟରପୋଲ ଜରିଆରେ ସିଙ୍ଗାପୁରରୁ ଏହି ମାମଲାର ସୂଚନା ମିଳିଥିଲା। ଏହାପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇର ଏହି ଚଢ଼ାଉ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ପାଟନା ଭଳି ବଡ଼ ବଡ଼ ସହର ସମେତ ୨୦ଟି ରାଜ୍ୟରେ ଚାଲିଛି। ଗତ ବର୍ଷ ମଧ୍ୟ ଏହି ଅପରେସନ ଚାଲିଥିଲା, ଯାହାର ନାମ ‘ଅପରେଶନ କାର୍ବନ’ ରହିଥିଲା।