ଭାରତ ନୁହେଁ ବରଂ ବିଜେପି କ୍ଷମା ମାଗିବା ଉଚିତ: ତେଲେଙ୍ଗାନା ମନ୍ତ୍ରୀ କେଟିଆର୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାପୁରୁଷ ମହମ୍ମଦଙ୍କ ସଂକ୍ରାନ୍ତରେ ବିଜେପି ମୁଖପାତ୍ର ନୁପୁର ଶର୍ମା ବିବାଦୀୟ ମନ୍ତବ୍ୟ ଦେବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ତେଲେଙ୍ଗାନା ମନ୍ତ୍ରୀ କେ.ଟି. ରାମା ରାଓଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ମହାପୁରୁଷ ମହମ୍ମଦ୍ଙ୍କ ସଂକ୍ରାନ୍ତରେ ବିଜେପି ମୁଖପାତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ଆରବ ରାଷ୍ଟ୍ରସମୂହଙ୍କ ତୀବ୍ର ପ୍ରତିକ୍ରିୟା ପାଇଁ ଭାରତ ନୁହେଁ, ବିଜେପି କ୍ଷମାଭିକ୍ଷା କରିବା ଉଚିତ ବୋଲି ଆଜି ତେଲେଙ୍ଗାନା ମନ୍ତ୍ରୀ କେ.ଟି. ରାମା ରାଓ କହିଛନ୍ତି।

ଏହା ସହ ବାରମ୍ବାର ଘୃଣ୍ୟ ମନ୍ତବ୍ୟ ଦେଇ ତାହାର ପ୍ରସାର କରୁଥିବା ପ୍ରଧାନମନ୍ତ୍ରୀଙ୍କ ଦଳ ଦେଶବାସୀଙ୍କୁ କ୍ଷମାଭିକ୍ଷା କରିବା ଉଚିତ। ଟୁଇଟ୍ କରି ସେ ଲେଖିଛନ୍ତି, ଗୋଟାଏ ଦେଶ ହିସାବରେ ଭାରତ ନୁହେଁ, ବିଜେପି କ୍ଷମାଭିକ୍ଷା କରିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ସାଂସଦ ପ୍ରଜ୍ଞା ସିଂହ ମହାତ୍ମା ଗାନ୍ଧୀ ହତ୍ୟାକୁ ପ୍ରଶଂସା କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନିରବତା ଅସହ୍ୟ ଏବଂ ବିସ୍ମୟକର। ଆପଣଙ୍କୁ ସ୍ମରଣ କରାଇ ଦେଉଛି, ଯାହା କରିବା ପାଇଁ ଆପଣ ଅନୁମତି ଦେଉଛନ୍ତି, ଆପଣ ତାହାର ପ୍ରସାର କରୁଛନ୍ତି। ଉପରସ୍ତରରୁ ମୌନ ସମ୍ମତି ହିଁ ଧର୍ମାନ୍ଧତା ଏବଂ ଘୃଣ୍ୟତାକୁ ଦୁଃସାହସୀ କରାଉଛି ବୋଲି କହିଛନ୍ତି ।

Related Posts