ତେଲେଙ୍ଗାନା ମନ୍ତ୍ରୀଙ୍କ ଜନ୍ମଦିନରେ ଯୋଗ ନଦେବାରୁ ୪ ମ୍ୟୁନିସିପାଲଟି କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତେଲେଙ୍ଗାନା ମନ୍ତ୍ରୀଙ୍କ ଜନ୍ମଦିନରେ ଯୋଗଦେଇ ନଥିବା ୪ ମ୍ୟୁନିସିପାଲଟି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।ତେଲେଙ୍ଗାନା ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ଓ ସହର ବିକାଶମନ୍ତ୍ରୀ କେଟି ରାମାଓରାଙ୍କର ଗତ ଜୁଲାଇ ୨୪ ତାରିଖରେ ଜନ୍ମଦିନ ଥିଲା। ମ୍ୟୁନିସିପାଲ କାଉନସିଲ ପକ୍ଷରୁ ବେଲ୍ଲାମପଲ୍ଲେ ସରକାରୀ ଡାକ୍ତରଖାନାରେ ମନ୍ତ୍ରୀଙ୍କର ଜନ୍ମିଦିନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ୪ ଜଣ ମ୍ୟୁନିସିପାଲିଟି କର୍ମଚାରୀ ଆସିପାରି ନଥିଲେ। ଏହାପରେ ଜୁଲାଇ ୨୫ ତାରିଖରେ ମ୍ୟୁନିସିପାଲ କମିଶନର ୪ ଜଣ କର୍ମଚାରୀଙ୍କୁ ନୋଟିସ୍ କରି ଏହାର ଜବାବ ମାଗିଥିଲେ। ୨୪ ଘଣ୍ଟା ଭିତରେ ଉତ୍ତର ନ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସ୍‌ରେ କୁହାଯାଇଥିଲା।

ଅନ୍ୟପଟେ ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ଅଭିଯୋଗ ହେଲା ଯେ ସେମାନଙ୍କୁ ଉତ୍ତର ରଖିବାକୁ ସମୟ ଦିଆ ନଯାଇ ନିଲମ୍ବିତ କରାଯାଇଛି। ମନ୍ତ୍ରୀଙ୍କର ଜନ୍ମଦିନରେ ଯୋଗ ଦେବା କଣ ତାଙ୍କ ଚାକିରିର ଅଂଶ କି ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି। ଏପଟେ ମାମଲାକୁ ନେଇ ତେଲେଙ୍ଗାନା ସରକାରଙ୍କୁ ସମାଲୋଚନା କରିଛି ବିଜେପି। କେଟିଆର୍‌କୁ ରାଜ କୁମାର କହିବା ସହ ତେଲେଙ୍ଗାନା ସରକାରରେ ଗୁଣ୍ଡାରାଜ ଚାଲିଛି ବୋଲି ତେଲେଙ୍ଗାନା ବିଜେପି ଅଭିଯୋଗ କରିଛି।

Related Posts