ବିଜେପି ନହେଲେ ଟିଏମସି ? ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପାଇଁ ଗାଙ୍ଗୁଲିଙ୍କ ଘରେ ପହଞ୍ଚିଲେ ମମତା , ଜୋର ଧରିଲା ରାଜନୀତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ସଭାପତି ଏବଂ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଗୁରୁବାର ଦିନ ୪୯ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅବସରରେ ଗାଙ୍ଗୁଲିଙ୍କୁ ଜନ୍ମ ଦିନର ଶୁଭକାମନା ଜଣାଇବା ପାଇଁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ତାଙ୍କ ବାସଭବନରେ ପହଞ୍ଚିଥିଲେ । ପ୍ରଥମଥର ପାଇଁ ମମତା ବାନାର୍ଜୀ ଶୁଭେଚ୍ଛା ଜଣାଇବା ପାଇଁ ଗାଙ୍ଗୁଲିଙ୍କ ଘରେ ପହଞ୍ଚି ଥିଲେ। ସୌରଭ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଶାଢୀ ଉପହାର ଦେଇଥିବା ସୂଚନା ମିଳିଛି। ଘରେ ପହଞ୍ଚିବା ପାଇଁ ମମତା ବାନାର୍ଜୀ ଓ ଗାଙ୍ଗୁଲିଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିଲା। ଏହି ଅବସରେ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଓ ଝିଅ ମଧ୍ୟ ଉପସ୍ଥିତ ଥିଲେ।

         ତେବେ ଗାଙ୍ଗୁଲି ଓ ମମତାଙ୍କ ଏହି ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି। ନିକଟରେ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ସୌରଭ ଗାଙ୍ଗୁଲିଙ୍କୁ ଦଳରେ ସାମିଲ୍ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଗାଙ୍ଗୁଲି ରାଜନୀତିରେ ଯୋଗ ଦେବେ ନାହିଁ ବୋଲି ସମ୍ପୂର୍ଣ୍ଣ ମନା କରିଦେଇଥିଲେ। ସୌରଭ ଗାଙ୍ଗୁଲି ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ଲଢ଼ନ୍ତୁ ବୋଲି ବିଜେପି ଚାହୁଁଥିଲା। କିନ୍ତୁ ବିଫଳ ହୋଇଥିଲା। ଏଭଳି ପରିସ୍ଥିତିରେ ମମତାଙ୍କ ବୈଠକ ପରେ ସୌରଭ ଗାଙ୍ଗୁଲି ଟିଏମସିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। 

  ଗାଙ୍ଗୁଲି ଏବଂ ମମତା ମଧ୍ୟରେ ଘନିଷ୍ଠ ସମ୍ପର୍କ 

 ଉଲ୍ଲେଖନୀୟ କଥା ହେଉଛି, ମମତା ବାନାର୍ଜୀ ଏବଂ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ଚଳିତ ବର୍ଷ ଜାନୁଆରୀ ମାସରେ ଯେତେବେଳେ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ୍ ଆସିଥିଲା , ସେହି ସମୟରେ ମମତା ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ହସ୍ପିଟାଲ୍ ଯାଇଥିଲେ। ଗାଙ୍ଗୁଲିଙ୍କ ବେଙ୍ଗଲ୍ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ କରାଯିବା ପଛରେ ମଧ୍ୟ ମମତାଙ୍କ ଭୂମିକା ରହିଥିବା ଚର୍ଚ୍ଚା ହୋଇଥାଏ । ତେବେ ବିସିସିଆଇ ଅଧ୍ୟକ୍ଷ ପଦ ମିଳିବା ପରେ ଗାଙ୍ଗୁଲି ରାଜ୍ୟ ପଦ ଛାଡ଼ି ଦେଇଥିଲେ। ସୌରଭ ଗାଙ୍ଗୁଲିଙ୍କ ଜନ୍ମଦିନ ଅବସରରେ ଅନେକ କ୍ରିକେଟର ତାଙ୍କୁ ଶୁଭକାମନା ଜଣାଇଛନ୍ତି। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ହରଭଜନ ସିଂହ, ସୁରେଶ ରାଇନା, ଭିଭିଏସ୍ ଲକ୍ଷ୍ମଣ, ମହମ୍ମଦ କୈଫ୍, ଦିନେଶ କାର୍ତ୍ତିକ, ୱାସିମ୍ ଜାଫରଙ୍କ ସମେତ ଆଉ କିଛି କ୍ରିକେଟର୍ ମଧ୍ୟ ଗାଙ୍ଗୁଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Related Posts