କ୍ୟାବିନେଟ ବିସ୍ତାରକୁ ନେଇ ରାହୁଲ ଗାନ୍ଧୀଙ୍କ କଟାକ୍ଷ – “ଏହାର ଅର୍ଥ କଣ ଆଉ ଟିକାର ଅଭାବ ନାହିଁ ?”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା କାଳରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ନେଇ ଅନେକ ଆଲୋଚନା ହୋଇଛି। ବିରୋଧୀ ଠାରୁ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗତକାଲି କେନ୍ଦ୍ର କ୍ୟାବିନେଟରେ ସମ୍ପ୍ରସାରଣ ପରେ ମାନସୁଖ ମାଣ୍ଡଭିଆଙ୍କୁ ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଛି। ପୂର୍ବରୁ ଡକ୍ଟର ହର୍ଷ ବର୍ଦ୍ଧନ ଏହି ବିଭାଗର ଦାୟିତ୍ୱ ତୁଲାଉଥିଲେ। ହର୍ଷବର୍ଦ୍ଧନ ମନ୍ତ୍ରୀ ଥିବା ସମୟରେ କୋଭିଡ୍ ପରିଚାଳନା ଠାରୁ ଆରମ୍ଭ କରି ଟିକାର ଅଭାବ , ଅକ୍ସିଜେନ ସିଲିଣ୍ଡର ସଙ୍କଟ ଭଳି ଅନେକ ସମସ୍ୟା ଦେଖାଦେଇଥିଲା। ତେବେ ସ୍ବାସ୍ଥ୍ୟ “ମନ୍ତ୍ରୀ ବଦଳାଇଦେଲେ କଣ ଟିକାର ଅଭାବ ରହିବ ନାହିଁ ?” ଆଜି ଏମିତି କହି ପୁଣି ଥରେ କେନ୍ଦ୍ର ସରକାରଙ୍କୁ କାଠ ଗଡାରେ ଛିଡା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ମାନସୁଖ ମାଣ୍ଡଭିଆଙ୍କୁ ଦେଶର ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ କରାଯିବା ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଟ୍ୱିଟ କରିଛନ୍ତି। ସେ ଟ୍ବିଟ୍ କରି ପ୍ରଶ୍ନ କରିଛନ୍ତି ଯେ ,ଏହାର ଅର୍ଥ ଟୀକାକରଣର ଅଭାବ ନାହିଁ କି ? ” ରାହୁଲ ଗାନ୍ଧୀ ଲଗାତର କେନ୍ଦ୍ର ସରକାରଙ୍କ ଟୀକାକରଣ ନୀତିକୁ ନେଇ କଟୁ ସମାଲୋଚନା କରି ଆସୁଛନ୍ତି।

ଦେଶରେ ଟିକାର ଅଭାବକୁ ଦୂର କରିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନେକ ଥର ଅନୁରୋଧ କରିଛନ୍ତି। ତେବେ କେନ୍ଦ୍ର ସରକାର କିନ୍ତୁ ଟିକା ଅଭାବ ଥିବା ଅଭିଯୋଗକୁ ମିଥ୍ୟା ବୋଲି କହି ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଟୀକାକରଣ ନୀତି ବିରୋଧରେ ଅନେକ ଥର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ତେବେ ହର୍ଷ ବର୍ଦ୍ଧନଙ୍କ ଇସ୍ତଫାକୁ ନେଇ ଗତ କାଲି ଠାରୁ ଚର୍ଚ୍ଚା ଲାଗି ରହିଛି। କୋଭିଡର ଦ୍ବିତୀୟ ଲହରର ମୁକାବିଲାରେ ବିଫଳତା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ବିଦା କରାଯାଇଥିବା କୁହାଯାଉଛି। କୋଭିଡ୍ ସଙ୍କଟ ଯୋଗୁଁ ଆନ୍ତର୍ଜାତିୟ ସ୍ତରରେ ଭାରତକୁ ବଦନାମ ହେବାକୁ ପଡ଼ିଛି। ଭାରତରେ ଏଥର ସଂକ୍ରମଣ ଏବଂ ମୃତ୍ୟୁ ବିଶ୍ବର ସବୁ ରେକର୍ଡକୁ ଭାଙ୍ଗିଛି । ଅକ୍ସିଜେନର ଅଭାବ, ଶ୍ମଶାନର କରୁଣ ଦୃଶ୍ୟ ଏବଂ ଗଙ୍ଗାରେ ମୃତଦେହ ଭାସିବା ଘଟଣା ମଧ୍ୟ ମୋଦୀ ସରକାରଙ୍କ ଭାବମୂର୍ତ୍ତୀକୁ ଜବରଦସ୍ତ କ୍ଷତି ପହଞ୍ଚାଇଛି।

ତେବେ ହର୍ଷ ବର୍ଦ୍ଧନଙ୍କ ସମେତ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ , ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଭଳି ହେଭିୱେଟ୍ ମନ୍ତ୍ରୀ ମଣ୍ଡଳରୁ ବାଦ୍ ପଡିଛନ୍ତି। ସେହିପରି ନୂଆ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଗଠନକୁ କଟାକ୍ଷ କରିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର । ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ହର୍ଷବର୍ଦ୍ଧନଙ୍କୁ ଦାୟୀ କରିବା ସହ ଢିଲା କୋଭିଡ ପରିଚାଳନା ପାଇଁ ତାଙ୍କୁ ଇସ୍ତଫା ଦେବାକୁ ପଡିଛି ବୋଲି ସେ କହିଛନ୍ତି ।

Related Posts