
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ରାଜ୍ୟରେ ବର୍ତ୍ତମାନ ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା । ସେପଟେ ନ୍ୟାୟ ଆଶାରେ ବାରମ୍ବାର ବିରୋଧ କରି ଆସୁଛନ୍ତି ରୂଚିକାଙ୍କ ପରିବାର । ଏହା ମଧ୍ୟରେ ଏହି ଆତ୍ମହତ୍ୟା ମାମଲାରୁ ପରଦା ଉଠାଇବାକୁ ପୋଲିସ ଜୋରଦାର ପ୍ରୟାସ କରୁଛି । ରୁଚିକାଙ୍କ ମୋବାଇଲରୁ ଡାଟା ସଂଗ୍ରହ କରିବାକୁ ପୋଲିସ ଚେଷ୍ଟା କରୁଛି । ହେଲେ ଫୋନ ଖୋଲିବାରେ ପୋଲିସ ସଫଳ ହୋଇପାରୁନି । ତେଣୁ ଡାଟା ଯେପରି ଡିଲେଟ ନହୋଇ ଫୋନ ଖୋଲିବ ସେଥିପାଇଁ ମୋବାଇଲକୁ ସିଙ୍ଗାପୁର ପଠାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରେସମିଟ କରି ସୂଚନା ଦେଇଛନ୍ତି । ତେବେ ଏହି ମାମଲାରେ ରାଗିଂ ହେବା ନେଇ କୌଣସି ସୁରାକ ମିଳିନଥିବା ଡିସିପି କହିଛନ୍ତି । ଏହି ଘଟଣାରେ ରୁଚିକାଙ୍କ ସାଙ୍ଗ ସାଥି, ସମ୍ପର୍କୀୟଙ୍କୁ ମିଶାଇ ମୋଟ ୧୯୮ ଜଣଙ୍କୁ ପଚରାଉଚରା କରାଯାଇଛି । ଆଗକୁ ଏଦିଗରେ ଅଧିକ ତଦନ୍ତ କରାଯିବ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୧୧ ଦିନ ବିତିଯାଇଥିଲେ ବି ପୋଲିସକୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ । ଝିଅକୁ ନ୍ୟାୟ ଦେବା ମାଆ ଅନଶନ ଜାରି ରଖିଛନ୍ତି ।
ତେବେ ଆଗକୁ ବି ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି । ଝିଅକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନଥିବାରୁ ମାଆ ବିଜେବି କଲେଜ ପ୍ରିନ୍ସିପାଲ, ୱାର୍ଡେନ ଓ ସୁପରିନଟେଣ୍ଡେଂଟଙ୍କ ବହିଷ୍କାର ଦାବି କରିଛନ୍ତି । ଗତକାଲି ବିଜେବି କଲେଜ ଆଗରେ ଦଶାହ ଓ ଏକାଦଶାହ କର୍ମ କରିବା ପାଇଁ ସ୍ଥିର ହୋଇଥିବା ବେଳେ ସେଠାରୁ ପୋଲିସ୍ ରୁଚିକାଙ୍କ ମାଆ ଓ ତାଙ୍କ ସମର୍ଥନରେ ଥିବା ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଦସ୍ୟଙ୍କୁ ଉଠାଇ ନେଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।