ପିଇଓ ସ୍ମୀତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ମାମଲା : ଆଜି ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ ବିଜେପି

ଯାଜପୁର: ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଆଜି ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇଛି । ଦଳ ୩ ଦଫା ଦାବିରେ ଆଜି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ କରିବ । ଏହାସହ ଯାଜପୁର ଏସପି ଓ ମହିଳା କମିଶନଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ମଧ୍ୟ ଦଳ ଦାବି କରିବ ।

ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ପିଇଓ ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୨୦ ଦିନ ବିତିଲାଣି । ବିଜେପିର ଅଭିଯୋଗ ଅନୁସାରେ, ସ୍ମିତାରାଣୀଙ୍କ ସହ ଦୁର୍ଷ୍କମ କରାଯାଇ ତାଙ୍କୁ ହତ୍ୟା କରାଯାଇଛି । ବିଜେପି ବରାମ୍ବାର ସ୍ମିତାରାଣୀଙ୍କୁ ନ୍ୟାୟ ହେବା ପାଇଁ ଦାବି କରିଆସୁଥିଲେ ବି ରାଜ୍ୟସରକାର ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ଚୁପ୍ ବସିଛନ୍ତି । ପୋଲିସ କେବଳ ରୂପେଶ ଭଦ୍ରକୁ ଗିରଫ କରି ସେଠାରେ ଉପସ୍ଥିତ ଥିବା ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲାପରିଷଦ ଏବଂ ରାମକୋର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ତଦନ୍ତ ପରିସରଭୃକ୍ତ କଲା ନାହିଁ । ଅନ୍ୟପଟେ ଯାଜପୁର ଏସପି ବୃତିଗତ ତଦନ୍ତ ନକରି ବ୍ୟକ୍ତିଗତ ତଦନ୍ତ କରି ମୃତା ସ୍ମିତାରାଣୀର ଚରିତ୍ରହନନ କଲେ । ଶାସକ ଦଳ ଚାପରେ ଘଟଣାକୁ ଚପେଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି । ମହିଳା କମିଶନ ଅଧ୍ୟକ୍ଷା ତଦନ୍ତ ନକରି କେସ ସରିଗଲାଣି ବୋଲି କହି ସମଗ୍ର ମହିଳା ସମାଜକୁ ନିନ୍ଦିତ କରିଛନ୍ତି ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା ଅଭିଯୋଗ କରିଛନ୍ତି ।

ସ୍ମିତାରାଣୀର ହତ୍ୟା ଘଟଣାର ସିବିଆଇ ତଦନ୍ତ, ସ୍ମିତାରାଣୀଙ୍କର ଚରିତ୍ର ହନନ କରିଥିବା ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ବହିଷ୍କାର, ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କୁ ବହିଷ୍କାର ଏବଂ ମହିଳାଙ୍କ ସୁରକ୍ଷା ନେଇ ଜିରୋ ଟଲେରାନ୍ସ ଗ୍ରହଣ କରିବା ଆଦି ଦାବି ନେଇ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲପାଳ ଅଫିସ ଆଗରେ ବିକ୍ଷୋଭ କରିବ ।

Related Posts