ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି ଯୁବମୋର୍ଚ୍ଚା। ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିବା ସହିତ, ଓଡ଼ିଶାରେ ଶାସନ କିଏ ଚଳାଉଛି? ବୋଲି ପ୍ରଶ୍ନ କରିଛନ୍ତି। ଓଡ଼ିଶା ପୁଲିସ ବିଜୁ ଜନତା ଦଳର କର୍ମୀ ସାଜିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ଗୃହବିଭାଗ ସବୁଠି ଅରାଜକତା କରୁଛି। ଓଡ଼ିଶାରେ ଗଣତନ୍ତ୍ର ନାଁରେ ଗୁଣ୍ଡାତନ୍ତ୍ର, ବାବୁତନ୍ତ୍ର ଓ ପୋଲିସତନ୍ତ୍ର ଚାଲିଛି। ତେଣୁ ଶୁକ୍ରବାର ଠାରୁ ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ଏବଂ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି ।
ଇରାସିସ୍ କହିଛନ୍ତି ଯେ, ରାଜ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଗୃହବିଭାଗ ଦାୟୀତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନୀରବଦ୍ରଷ୍ଟା ସାଜିଛନ୍ତି। ଶାସକ ଦଳର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଜଣେ ପୁଲିସ କର୍ମଚାରୀ ଦିବାଲୋକରେ ଗୁଳିକରି ହତ୍ୟା କଲେ। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟିବାର ୨୦ ଦିନ ବିତିଯାଇଥିଲେ ସୁଦ୍ଧା ସତ୍ୟାସତ୍ୟ ସାମ୍ନାକୁ ଆଣିବାରେ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ତଦନ୍ତ ଆଳରେ ପ୍ରହେଳିକା ସୃଷ୍ଟି କରାଯାଇ ଜନସାଧାରଣଙ୍କୁ ଭ୍ରମିତ କରିବାର ଅପଚେଷ୍ଟା ଜାରି ରହିଛି। କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ। ପୁଲିସ ବିଭାଗକୁ ଦଳୀୟ ସ୍ୱାର୍ଥ ପାଇଁ ବ୍ୟବହାର କରି ସାଧାରଣ ଲୋକଙ୍କ ସୁରକ୍ଷା ଦେବାରୁ ବଂଚିତ ରଖୁଛି ବିଜେଡି ସରକାର।
ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବିରୋଧୀ ଦଳ ଭାବେ ଭାରତୀୟ ଜନତା ପାର୍ଟୀ ଏବଂ ସାଧାରଣ ଜନତା ପ୍ରଶ୍ନ କରୁଥିଲେ ମଧ୍ୟ ନବୀନ ବାବୁ କାଚଘରେ ବସି ରହି ମୌନ ଧାରଣ କରୁଛନ୍ତି, ଯାହା ଗଣତନ୍ତ୍ର ଲାଗି ବିପଦ ବୋଲି ବିଜେପି କହିଛି। ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଂଚ ହାତକୁ ଦେଇ ତଥ୍ୟ ଓ ପ୍ରମାଣ ନଷ୍ଟ କରାଯିବାର ପ୍ରୟାସ କରୁଛି ବିଜେଡି ସରକାର । ସତ୍ୟାସତ୍ୟର ଉନ୍ମୋଚନ ପାଇଁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯିବାକୁ ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ମନୋଜ ପଶ୍ଚିମକବାଟ ଏବଂ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।