ବିଧାୟକ ମାନେ ବିମାନବନ୍ଦରରେ ମଦ ପିଇ ମାତାଲ ହେବା କଣ ମୁଖ୍ୟମନ୍ତ୍ରୀଙ୍କ ଜୀବନବ୍ୟାପୀ ସାଧନା ? : ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟମନ୍ତ୍ରୀଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ ମିଳିବା ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି ଯୁବ ମୋର୍ଚ୍ଚା। ବିମାନବନ୍ଦରରେ ମଦ୍ୟପାନ କରି ବିଧାୟକମାନେ ଯେଉଁ କାଣ୍ଡ ଭିଆଇଲେ ତାହା ମୁଖ୍ୟମନ୍ତ୍ରୀଙ୍କ ଜୀବନବ୍ୟାପୀ ସାଧନା କି ବୋଲି ପ୍ରଶ୍ନ କରିଛନ୍ତି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ। ଦିଲ୍ଲୀ ବିମାନବନ୍ଦରରେ ମଦ୍ୟପାନ କରି ତୁମୁଳ କାଣ୍ଡ କରିଥିବା ବିଧାୟକ ବ୍ୟମୋକେଶ ରାୟ ଓ ପ୍ରଣବ ବଳବନ୍ତରାୟଙ୍କ ନାଁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଇରାଶିଷ କହିଛନ୍ତି ଯେ, ତିନି ଦିନ ତଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପୁରସ୍କାର ପାଇଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବହୁ ଯୁବ ନେତା ଯାଇଥିଲେ। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ୪ ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ବିଧାୟକ ଓ ଯୁବ ନେତା ମାନେ ମଦ ପିଇ ମାତାଲ ହୋଇ ଯେଉଁ କାଣ୍ଡ ଭିଆଇଲେ ତାହା କଣ ନବୀନ ବାବୁଙ୍କ ଜୀବନବ୍ୟାପୀ ସାଧନା କି? ସେ ଆହୁରି କହିଛନ୍ତି ଯେ, ମଦ୍ୟପାନ କରି ବିଧାୟକ ମାନେ ପାଇଲଟଙ୍କ ସହ ଯୁକ୍ତି ତର୍କ କରିଥିଲେ ଫଳରେ ସେମାନଙ୍କୁ ଇଣ୍ଡିଗୋ ଫ୍ଲାଇଟ ଏ୩୨୦ ରେ ଅଣା ଯାଇନଥିଲା, ସେମାନଙ୍କ ଲଗେଜ ଆସିଥିଲେ ବି ସେମାନେ ସେହି ଫ୍ଲାଇଟରେ ଆସି ପାରିନଥିଲେ। ଏହି ଘଟଣାରେ ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି। ରାଜ୍ୟରେ ନିଶା କାରବାର ବଢୁଥିବା ଖବର ବିଜେଡ଼ି ନେତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ବିଜେପି ଯୁବ ମୋର୍ଚ୍ଚା ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ, ଜାତୀୟ ପ୍ରତୀକକୁ କୌଣସି ବେସରକାରୀ ସଂସ୍ଥା ଦ୍ୱାରା ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ନିୟମ ରହିଛି। ମାତ୍ର ମୁଖ୍ୟମନ୍ତ୍ରୀ ପାଇଥିବା ପୁରସ୍କାରରେ ଜାତୀୟ ପ୍ରତୀକ ରହିଛି ତାହା ପରେ ମଧ୍ୟ କେମିତି ମୁଖ୍ୟମନ୍ତ୍ରୀ ସେ ପୁରସ୍କାର ଗ୍ରହଣ କଲେ? ପୁରସ୍କାର ପାଇବା ପରେ ସେଲିବ୍ରେସନ ଆୟୋଜନ ପାଇଁ ଭୁବନେଶ୍ୱର ଯେଉଁ ଭିଡ଼ ହେଲା ଲୋକେ ଅସୁବିଧାର ସମ୍ମୁଖୀନ ହେଲେ ଓ ଲୋକେ ହସ୍ପିଟାଲ ଯାଇ ପାରିଲେନି ସେଥିପାଇଁ ଦାୟୀ କିଏ? ବିଜୁ ଜନତା ଦଳ କଣ ଆଇନରୁ ଉର୍ଦ୍ଧ୍ଵରେ। ପୋଲିସ କାହିଁକି ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ପ୍ରଶ୍ନ କରିଛି ବିଜେପି ଯୁବ ମୋର୍ଚ୍ଚା।

Related Posts