ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତିକୁ ନେଇ ବିଧାନସଭା ଘେରାଉ ହେବ। ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ଯେତେ ପର୍ଯ୍ୟନ୍ତ ସତ୍ୟର ପର୍ଦ୍ଦାଫାସ ନ ହୋଇଛି ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ । ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ୨୩ ବର୍ଷ ହେବ ବିଜେଡି ସରକାରରେ ସାଧରଣ ଲୋକ ସୁରକ୍ଷିତ ନୁହେଁ । ଯେତେବେଳେ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୋଲିସ ଗୁଳିକରି ହତ୍ୟା କରୁଛି ସେଭଳି ସ୍ଥିତିରେ ରାଜ୍ୟ ବସି କିଭଳି ସୁରକ୍ଷିତ ? ଆନ୍ୟପଟ ନବ ଦାସଙ୍କ ହତ୍ୟା ଘଟଣାରେ ଅଯଥା ବୟାନ ଦେଇ ସରକାର ବିଧାନସଭାକୁ ବିଭ୍ରାନ୍ତି କରୁଛନ୍ତି । ବିଧାନସଭା ଆରମ୍ଭ ହେବା ପୂର୍ବରୁ ନୂଆ ନୂଆ ଫଟୋ ଆଉ ଭିଡ଼ିଓ ଆସୁଛି ଓ ଲୋକମାନଙ୍କୁ ବିଭ୍ରାନ୍ତି କରାଯାଉଛି । ତେଣୁ ବିଧାନସଭା ଭିତରେ ବିଜେପି ବିଧାୟକ ମାନେ ପ୍ରତିବାଦ କରୁଥିବା ବେଳେ ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ବାହାରେ ସରକାରଙ୍କୁ ଘେରିବ। ଏଥିପାଇଁ ଆସନ୍ତା ୨୮ ତାରିଖରେ ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିବ ବୋଲି ଇରାଶିଷ କହିଛନ୍ତି ।