ବିଜେଡ଼ିର ୨୦ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଆଶଙ୍କା ବଢିଲା, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟପାଳ ମାଗିଲେ ରିପୋର୍ଟ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଅଡୁଆରେ ବିଜୁ ଜନତା ଦଳର ୨୦ ଜଣ ବିଧାୟକଙ୍କ । ଏହି ୨୦ ବିଧାୟକଙ୍କ ସଦସ୍ୟତା ଉପରେ ଝୁଲୁଛି ଖଣ୍ଡା। ବିଧାୟକ ଭାବେ ନିର୍ବାଚିତ ହୋଇ ଲାଭଜନକ ପଦରେ ରହି ସରକାରୀ ସୁବିଧା ଗ୍ରହଣ କରିବା ସେମାନଙ୍କ ପାଇଁ ମହଙ୍ଗା ପଡ଼ିପାରେ। ରାଜ୍ୟପାଳ ଉକ୍ତ ବିଧାୟକ ମାନଙ୍କର ନିଯୁକ୍ତିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ମାଗିବା ପରେ ଏବେ ବିଜୁ ଜନତା ଦଳର ଏହି ୨୦ ବିଧାୟକ ମାନଙ୍କ ସଦସ୍ୟତା ଏବେ ବିପଦରେ। ସୂଚନାଯୋଗ୍ୟ ଯେ, ଗଲା ଅଗଷ୍ଟ ୨୬ ତାରିଖରେ ଜାତୀୟ ନିର୍ବାଚନ କମିଶନ ଏ ସମ୍ପର୍କରେ ତାଙ୍କର ମତାମତ ରାଜ୍ୟପାଳଙ୍କୁ ଜଣାଇ ଦେଇଥିଲେ। ଏବେ ରାଜଭବନ ପକ୍ଷରୁ ଏହି ୨୦ ବିଧାୟକମାନଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ମାମଲାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିବାର ସୂଚନା ମିଳିଛି। 

ମିଳିଥିବା ସୂଚନା ମୁତାବକ , ବିଜେଡିର ୨୦ ବିଧାୟକ ଏକାଧିକ ସରକାରୀ ଲାଭଜନକ ପଦରେ ରହି ସମ୍ବିଧାନର ଧାରା -୧୯୧ ଅର୍ନ୍ତଗତ ‘ଅଫିସ୍ ଅଫ ପ୍ରଫିଟ୍‌’ ଅଭିଯୋଗ ଆଣି ସେମାନଙ୍କର ସଦସ୍ୟତା ରଦ୍ଦ ନିମନ୍ତେ ରାଜ୍ୟପାଳଙ୍କ ନିକଟରେ ଆବେଦନ କରିଥିଲେ ଆବେଦନକାରୀ ସମରେନ୍ଦ୍ର ବେଉରା। ତେବେ ରାଜ୍ୟପାଳ ଏ ବାବଦରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌.ମୁରଲୀଧର ଓ ଜଷ୍ଟିସ ଏସ.କେ.ପାଣିଗ୍ରାହୀଙ୍କ ଖଣ୍ଡପୀଠ ଗଲା ଜୁଲାଇ ୧୩ ତାରିଖ ଦିନ ଏହି ମାମଲାର ଶୁଣାଣି କରି ରାଜ୍ୟପାଳଙ୍କୁ ୨୦୨୧ ନଭେମ୍ବର ୧୫ତାରିଖ ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ମାମଲାରେ ତତ୍ପରତା ପ୍ରକାଶ ପାଇଥିଲା। ସମ୍ବିଧାନର ଧାରା ୧୯୧ ଓ ୧୯୨ ଅନ୍ତର୍ଗତ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ନିର୍ବାଚନ କମିଶନଙ୍କ ମତାମତ ଲୋଡ଼ାଯାଇଥିଲା। ଏହି ମାମଲାରେ ୨୦୨୧ ଅଗଷ୍ଟ ୨୬ରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ବାବଦରେ ମତାମତ ରଖିବା ସଙ୍ଗେ ସଙ୍ଗେ ଅଧିକ ତଥ୍ୟ ଦେବାକୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ କହିଥିଲେ। ଏହା ପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗକୁ ଏହି ବିଧାୟକମାନଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ତଥ୍ୟ ମାଗାଯାଇଥିଲା। ଏହା ବ୍ୟତୀତ ନିର୍ବାଚନ କମିଶନ ମାଗିଥିବା ଅଧିକ ତଥ୍ୟ ଜଣାଇବାକୁ କୁହାଯାଇଥିଲା ।

ସୂଚନା ଅନୁସାରେ, ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମଗାଯାଇଥିବା ତଥ୍ୟ ବାବଦରେ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ମନୋଜ ଦେବୀ ସେପ୍ଟେମ୍ବର ୪ ରେ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖି ଏହି ୨୦ଜଣ ବିଧାୟକଙ୍କ ବିଭିନ୍ନ ସରକାରୀ ପଦପଦବୀରେ ନିଯୁକ୍ତି ସଂକ୍ରାନ୍ତ ଚିଠି ବା ବିଜ୍ଞପ୍ତି, ଯଦି ସେମାନେ ଇସ୍ତଫା ଅବା ବାଦ୍ ପଡ଼ିଥାନ୍ତି ତା’ର ତା’ର କାଗଜପତ୍ର ସେପ୍ଟେମ୍ବର ୮ତାରିଖ ସୁଦ୍ଧା ଦାଖଲ କରିବାକୁ କହିଥିଲେ। 

ତେବେ ଯୋଜନା ଓ ସଂଯୋଜନ ବିଭାଗ ଏ ସମ୍ପର୍କରେ ଦେଇଥିବା ତଥ୍ୟକୁ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି । ଏହି ତଥ୍ୟ ଗୁଡିକୁ ଖୁବଶୀଘ୍ର  ଜାତୀୟ ନିର୍ବାଚନ କମିଶନଙ୍କ ନିକଟକୁ ପଠାଯିବ ବୋଲି ଜଣାପଡ଼ିଛି। ସମ୍ବିଧାନର ଧାରା ୧୯୧(୧) ଅନ୍ତର୍ଗତ ଯଦି ଏହି ବିଧାୟକମାନେ ଲାଭଜନକ ପଦବୀରେ ରହିଥିବାର ପ୍ରମାଣିତ ହୋଇଯାଏ , ତେବେ ଉକ୍ତ ବିଧାୟକ ମାନଙ୍କର ସଦସ୍ୟତା ରଦ୍ଦ ହୋଇପାରେ। 

ତେବେ ଏଠାରେ ସୂଚନାଯୋଗ୍ୟ ଯେ , ଅଭିଯୋଗ ଆସିଥିବା ବିଜେଡିର ଏହି ୨୦ଜଣ ବିଧାୟକଙ୍କ ମଧ୍ୟରୁ ୧୨ଜଣ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି। ଏହି ବିଧାୟକ ମାନେ ମାସିକ ୧.୨୦ରୁ ୧.୫୦ଲକ୍ଷ ଟଙ୍କା ଲେଖାଁଏ ପାଉଥିବା କୁହାଯାଉଛି। 

ଏହି ବିଧାୟକ ମାନେ ବିଧାୟକ ଭାବେ ବେତନ ପାଉଥିବା ସହ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଜର ବ୍ୟକ୍ତିଗତ ସଚିବ ଓ ପିଅନ (ଅସ୍ଥାୟୀ ନିଯୁକ୍ତି – ସେମାନେ ନିଜେ କରିପାରିବେ)ଙ୍କ ପାଇଁ ମାସିକ ୫୧୬୦୦ଟଙ୍କା ସହ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ପାରିଶ୍ରମିକ, ଟିଏ ଓ ଡିଏ ସହ ଗୋଟିଏ ଗାଡ଼ି ମଧ୍ୟ ପାଉଛନ୍ତି। ଏହି ବିଧାୟକମାନେ ‘ଅଫିସ୍ ଅଫ ପ୍ରଫିଟ୍‌’ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହେବା ନେଇ ଏବଂ ସେମାନଙ୍କର ସଦସ୍ୟତା ରଦ୍ଦ କରିବା ସଂକ୍ରାନ୍ତୀୟ ନିଷ୍ପତ୍ତି  ଜାତୀୟ ନିର୍ବାଚନ କମିଶନଙ୍କ ମତାମତ ଆଧାରରେ ରାଜ୍ୟପାଳ ନେବାର ପ୍ରାବଧାନ ରହିଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏ ସମ୍ପର୍କରେ ନଭେମ୍ବର ୧୫ତାରିଖ ସୁଦ୍ଧା ରାଜ୍ୟପାଳ ନିଜର ମତାମତ ଜଣାଇବେ ।

Related Posts