ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ବିଜେଡିର ଦୁଇ ନେତା ମୁହାଁମୁହିଁ : ଦେବାଶିଷ ସାମନ୍ତରାୟ କହିଲେ – ‘ ସହରକୁ ଅଶାନ୍ତ କରୁଛନ୍ତି ଭର୍ତ୍ତୃହରି ‘

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମା ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ଏବେ କଟକ ବିଜେଡିରେ ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ ନେତା । ଗତକାଲି ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କ ମନ୍ତବ୍ୟକୁ ନେଇ ତାଙ୍କ ଦଳର ଆଉ ଜଣେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଟାର୍ଗେଟ କରିଛନ୍ତି । ଭର୍ତ୍ତୃହରିଙ୍କୁ ଜବାବ ଦେବାକୁ ଯାଇ ଦେବାଶିଷ ସାମନ୍ତରାୟ କହିଛନ୍ତି , ” ଭର୍ତ୍ତୁହରି ସହରକୁ ଅଶାନ୍ତ କରୁଛନ୍ତି । ” ସେ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପ୍ରସଙ୍ଗରେ କେରଳ ଉଦାହରଣ ଦେଇ କହିଛନ୍ତି ଯେ ଯଦି କୋଭିଡ୍ ସଂକ୍ରମଣ ବୃଦ୍ଧି ପାଏ ତେବେ ସେ ( ଭର୍ତ୍ତୃହରି ମହତାବ) ଏଥିପାଇଁ ଦାୟୀ ରହିବେ । ଜଣେ ବିଜ୍ଞ ସାଂସଦ ହୋଇ ଏଭଳି କହିବା ଠିକ୍ ହୋଇନି ବୋଲି ସେ କାଉଣ୍ଟର କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ , ‘ ଯେକୌଣସି ମୂର୍ତ୍ତିକୁ ଆମେ ପୂଜା କରିପାରିବା । କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଉଚ୍ଚତା ଥିଲେ ଯେ ମାଆଙ୍କ ଆରଧନା କରାଯାଇ ପାରିବ ଏହା ଆଦୌ ଠିକ୍ ନୁହେଁ । ବହୁତ ଲୋକ ନିଜ ଘରେ ଦୁର୍ଗାପୂଜା କରୁଛନ୍ତି । ଗଣେଶଠୁ ଲକ୍ଷ୍ମୀ ବିଭିନ୍ନ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ସେଥିରେ ତ କିଛି ଅସୁବିଧା ହେଉନି, ତେଣୁ ସାଂସଦଙ୍କ ଏଭଳି ବୟାନ ଗ୍ରହଣୀୟ ନୁହେଁ।’

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ମା ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ମୁଣ୍ଡ ପୁରାଇ ଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ସେ କହିଛନ୍ତି, ମୂର୍ତ୍ତି ଉଚ୍ଚତା ନ ବଢିବା ଅର୍ଥ ପୂଜାରେ ବିଘ୍ନ ହେବା । କଟକ ଶାନ୍ତି କମିଟି ବୈଠକରେ ଯୋଗ ଦେଇ ସେ କହିଥିଲେ ଯେ, ମୂର୍ତ୍ତିକୁ ୪ ଫୁଟରେ ସୀମିତ ରହିବା ନେଇ ସରକାରଙ୍କ ନିଷ୍ପତ୍ତି ହାସ୍ୟାସ୍ପଦ , ମୂର୍ତ୍ତିର ଉଚ୍ଚତା ଆଉ ଦୁଇ ଫୁଟ ବା ଅଢ଼େଇ ଫୁଟ ବଢାଇବା ଦ୍ବାରା କଣ କରୋନା ଡରି ପଳାଉଛି? ଏହି ଅବସରରେ ସେ ଉଦାହରଣ ଦେଇ ଥିଲେ ମହାରାଷ୍ଟ୍ର ଓ କୋଲକାତାର। ସେଠାରେ କରୋନା କଟକଣା ସତ୍ତ୍ୱେ ମୂର୍ତ୍ତିର ଉଚ୍ଚତା କମ୍ ହୋଇନଥିବା ସାଂସଦ ଉଦାହରଣ ଦେଇ ଥିଲେ । ତେଣୁ କଟକଣା କୋହଳ ପାଇଁ ସେ ସରକାରଙ୍କୁ ନିବେଦନ କରିଥିଲେ।

ଅନ୍ୟପକ୍ଷରେ ବିଜେଡି ନେତା ଦେବାଶିଷ ସାମନ୍ତରାୟ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ବିଜେପି କ’ଣ ଏକ ସହରର ଦଳ ? ମୂର୍ତ୍ତି ତ ଓଡ଼ିଶାର ସବୁଠି ହେଉଛି ଖାଲି କଟକୁ କେନ୍ଦ୍ର କରି ବନ୍ଦ ଡାକରା ବିକ୍ଷୋଭ କରିବାକୁ ବିଜେପି କାହିଁକି ଯୋଜନା କରିଛି ବୋଲି ସେ ପଚାରିଛନ୍ତି ? ତେବେ ନିକଟରେ ମୂର୍ତ୍ତିର ଉଚ୍ଚତା ବଢାଇବା ପାଇଁ ବିଭିନ୍ନ ସଂଗଠନ ଦାବି କରିଥିଲେ । ଏହାପରେ ଶୁକ୍ରବାରଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ପାଇଁ କୌଣସି କଟକଣାରେ କୋହଳ କରିବେ ନାହିଁ । ତେଣୁ ଅଗଷ୍ଟ ୯ରେ ସରକାର ଜାରି କରିଥିବା ଗାଇଡଲାଇନ ବଳବତ୍ତର ରଖିଛନ୍ତି ।

Related Posts