କାବୁଲରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ : ତାଲିବାନ୍ ସପକ୍ଷରେ ଆଫଗାନ ମହିଳାଙ୍କ ରାଲି

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ସାରା ବିଶ୍ୱରେ ତାଲିବାନର କ୍ରୂର ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଶେଷ କରି ମହିଳାମାନଙ୍କୁ ତାଲିବାନ ସେନାଙ୍କ ଅତ୍ୟାଚାରକୁ ନେଇ ସମାଲୋଚନା ହେଉଛି । ତାଲିବାନ ଲାଗୁ କରିଥିବା ସରିଆ ନିୟମକୁ ନେଇ ଏବେ କାବୁଲ ସମେତ ଆଫଗାନିସ୍ତାର ବିଭିନ୍ନ ସହରରେ ମହିଳାମାନେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏମିତି ସମୟରେ କାବୁଲରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଚିତ୍ର । 

କିଛି ମହିଳା ତାଲିବାନ ସପକ୍ଷରେ ରାଲି କରୁଥିବାର ଦେଖିବାକୁ ମିଳିଛି  ଶତାଧିକ ମହିଳା ବୁର୍ଖା ପିନ୍ଧିବା ସହ ତାଲିବାନ ପତକା ଏବଂ ପ୍ଲାକାର୍ଡ ଧରି ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ରାସ୍ତାରେ ରାଲି କରୁଥିବା ବେଳେ ବନ୍ଧୁକଧାରୀ ସୁରକ୍ଷାକର୍ମୀମାନେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । ଏହି ରାଲିରେ ଥିବା ନାରୀମାନେ ବିଶେଷ କରି ଛାତ୍ରୀ ବୋଲି ଆୟୋଜକମାନେ କହିଛନ୍ତି। 

ରାଜଧାନୀ କାବୁଲ୍‌ସ୍ଥିତ ସହିଦ ରବ୍‌ବାନି ଏଜୁକେସନ୍‌ ୟୁନିଭର୍ସିଟିରେ ସେମାନେ କେତେଗୁଡ଼ିଏ ଭାଷଣ ଶୁଣିଥିବା କଥା ଆୟୋଜକମାନେ କହିଛନ୍ତି। ଦୁଇ ପାର୍ଶ୍ବରେ ବିଶାଳ ତାଲିବାନ୍‌ ପତାକା ଲାଗିଥିବା ‘ପୋଡିୟମ୍‌’ରେ ମହିଳା ବକ୍ତାମାନେ ନିକଟ ଅତୀତରେ ସମଗ୍ର ଆଫଗାନିସ୍ତାନରେ ପ୍ରତିବାଦ କରିଥିବା ମହିଳାମାନଙ୍କୁ ସମାଲୋଚନା କରୁଥିବାର ଭିଡିଓ ଭାଇରାଲ ହେଉଛି ।

‘ଯେଉଁ ମହିଳା ଆଫଗାନିସ୍ତାନ ଛାଡି ଚାଲିଯାଇଛନ୍ତି ସେମାନେ ଆମ ଦେଶର ନୁହେଁ’, ‘ଆମେ ତାଲିବାନ ସରକାର ଏବଂ ନିୟମରେ ସନ୍ତୁଷ୍ଟ ଅଛୁ’ ବୋଲି ସେମାନଙ୍କର ପ୍ଲାକାର୍ଡରେ ଉଲ୍ଲେଖ ରହିଛି । ଯେଉଁମାନେ ବିନା ଅନୁମତିରେ ବିକ୍ଷୋଭ କରୁଛନ୍ତି ସେମାନେ ତାଙ୍କୁ ବିରୋଧ କରିଛନ୍ତିି । ସେମାନଙ୍କ ମଧ୍ୟରୁ ଜଣେ ପ୍ରଦର୍ଶନକାରୀ ମହିଳା କହିଛନ୍ତି, ‘ତାଲିବାନ ସରକାରକୁ ଆସିବା ପରେ ଇତିହାସ ବଦଳିଛି । ଆଉ ବିନା ବୁର୍ଖରେ ମହିଳାମାନଙ୍କୁ ଦେଖିବାକୁ ମିଳିବନି । ଏହା ଦ୍ୱାରା ଆମେ ସୁରକ୍ଷିତ ରହିବୁ । ଆମେ ପୁରା ସାମର୍ଥ୍ୟ ସହ ଆମ ସରକାରଙ୍କୁ ସହଯୋଗ କରିବୁ’ ।  ତେବେ ଗୋଟିଏ ପଟେ ତାଲିବାନ ବିରୋଧରେ କିଛି ମହିଳା ପ୍ରଦର୍ଶନ କରୁଥିବା ବେଳେ ଆଉ କିଛି ସମର୍ଥନରେ ବାହାରିଛନ୍ତି। 

Related Posts