
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ପୁରୀ ଜିଲ୍ଲା ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ରହିଥିଲେ ମଧ୍ୟ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ। ମୁଖ୍ୟମନ୍ତ୍ରୀ ସବୁ ଜାଣି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ତାଙ୍କୁ ଉଠାଇବାକୁ ଢୋଲ, ଘଣ୍ଟ ଓ ଝାଞ୍ଜ ବଜାଇ ନବୀନ ନିବାସ ଯିବୁ। ଆଜି ଏପରି ରଣହୁଙ୍କାର ଦେଇ ରାସ୍ତାକୁ ଓହ୍ଲାଇଥିଲା ବିଜେପି।
ନବୀନ ନିବାସ ଘେରାଉ କରିବା ପାଇଁ ଆଜି ଶହ ଶହ ବିଜେପି କର୍ମୀ ରାସ୍ତାକୁ ଓହ୍ଲାଇଥିଲେ। ସେମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ସହ ଢ଼ୋଲ, ଘଣ୍ଟ ଓ ଝାଞ୍ଜ ବଜାଇ ନବୀନ ନିବାସମୁହାଁ ହେଉଥିବା ବେଳେ ଶିଶୁଭବନ ଛକରେ ସେମାନଙ୍କୁ ପୁଲିସ୍ ଅଟକାଇଥିଲା। ବିଜେପି କର୍ମୀମାନେ ପୁଲିସ ବାରିକେଡ ଡେଇଁ ଆଗକୁ ଯିବାକୁ ଉଦ୍ୟମ କରିଥିଲେ। ଏହାପରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ କେତେଜଣ ବିଜେପି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ଅଟକାଇବାରୁ ରାସ୍ତା ଉପରେ ଶୋଇପଡ଼ିଥିଲେ ବିଜେପି କର୍ମୀ। କିଛି ନେତା ଓ କର୍ମୀଙ୍କୁ ପୁଲିସ୍ ଗିରଫ କରି ଅଟକ ମଧ୍ୟ ରଖିଛି।

ଏନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥା ଧ୍ୱଂସ ହୋଇଗଲାଣି। ଚାକିରିବାକିରି ନଥିବାରୁ ଯୁବକମାନେ ଅସହାୟ ହୋଇ ବୁଲୁଛନ୍ତି। ମହିଳାମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। ବିଜେଡିର ମନ୍ତ୍ରୀ ଓ ବିଧାୟକ ଯୌନକେଳେଙ୍କାରୀ ସଂପୃକ୍ତ ରହୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛୁ। ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଜବାବ ମିଳିନାହିଁ। ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ବୋଲି ସେ କହିଛନ୍ତି।
ସେହିପରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବିଜେଡିର ବଡ଼ ବଡ଼ ନେତାଙ୍କର ସମ୍ପୃକ୍ତି ରହିଛି। ସେଥିରେ ପୁଲିସ ଅଧିକାରୀଙ୍କର ମଧ୍ୟ ସମ୍ପୃକ୍ତି ରହିଛି। ପୁଲିସ ସେଥିପାଇଁ ଏହି ଘଟଣାକୁ ଘଣ୍ଟ ଘୋଡ଼ାଉଥିବା ସେ ଅଭିଯୋଗ କରିଛନ୍ତି।