ବିଜେପିର ନୂଆ ଚାଲ: ଲୋକଙ୍କୁ ପ୍ରଭାବିତ କରିବା ପାଇଁ ବିଶିଷ୍ଟ ବ୍ୟକ୍ତି, ଫିଲ୍ମଷ୍ଟାର, କ୍ରୀଡ଼ାବିତ ଓ ବିଭିନ୍ନ ବର୍ଗର ଲୋକଙ୍କୁ କରିବ ସାମିଲ

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ଲୋକଙ୍କୁ ନିଜ ପ୍ରତି ବାନ୍ଧି ରଖିବା ପାଇଁ ଅନେକ ସମୟରେ ଅନେକ ଚାଲ ଖେଳୁଥିବା ଦେଖିବାକୁ ମିଳିଛି | ତେବେ ଏବେ ବିଜେପି ମଧ୍ୟ ନୂଆ ଚାଲ ପ୍ରସ୍ତୁତ କରିଛି।

ନରେନ୍ଦ୍ର ମୋଦି ସରକାରଙ୍କୁ କିଛି ଦିନ ତଳେ ୮ ବର୍ଷ ପୂରିଛି। ଏହି ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ମିଳିଥିବା ସଫଳତା ଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜେପି ଲୋକଙ୍କୁ ପ୍ରଭାବିତ କରି ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ପ୍ରଚାର ଓ ପ୍ରସାର କରିବ। ତେବେ ଏହି ପ୍ରଚାର ଓ ପ୍ରସାରରେ ସମାଜକୁ ପ୍ରଭାବିତ କରିପାରିବାର କ୍ଷମତା ରଖିଥିବା ବିଶିଷ୍ଟ ବ୍ୟକ୍ତି, ଫିଲ୍ମଷ୍ଟାର, କ୍ରୀଡ଼ାବିତ ଓ ବିଭିନ୍ନ ବର୍ଗର ଲୋକଙ୍କୁ ବିଜେପି ନିଜ ଚାଲରେ ସାମିଲ କରିବ।

ଏହି ବିଶିଷ୍ଟ ବ୍ୟକ୍ତିମାନେ ନିଜ ନିଜ ସୋଶାଲ ମିଡିଆରେ ସରକାରଙ୍କ ସଫଳତା ଗୁଡ଼ିକର ପ୍ରଚାର ପ୍ରସାର କରିବେ। ଏହାଦ୍ୱାରା ସେମାନଙ୍କୁ ଅନୁସରଣ କରୁଥିବା ଲୋକଙ୍କ ପାଖରେ ଅଧିକରୁ ଅଧିକ ମାତ୍ରାରେ ସରକାରଙ୍କ ସଫଳତାଗୁଡ଼ିକ ପହଞ୍ଚି ପାରିବ।

ବିଜେପି ବିସ୍ତୃତ ଭାବେ ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ ଯୋଜନା କରିଛି। ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକ “୮ ବର୍ଷ: ସେବା, ସୁଶାନ ଓ ଗରିବଙ୍କ କଲ୍ୟାଣ” ନାଁରେ ଅନୁଷ୍ଠିତ ହେବ। ଡିଜିଟାଲ ମିଡିଆ ପ୍ରଚାର ବ୍ୟତୀତ ବିଜେପି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୨ ସ୍ତରୀୟ କାର୍ଯ୍ୟକ୍ରମର ଯୋଜନା କରିଛି। ଗୋଟିଏ ସ୍ତରରେ ଦଳୀୟ ନେତାମାନେ ସରକାରଙ୍କ ସଫଳତାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବେ। ସେହିପରି ଦ୍ୱିତୀୟ ସ୍ତରରେ ବିଭିନ୍ନ ପ୍ରକାରର ସରକାରୀ କାର୍ଯ୍ୟକ୍ରମ କରାଯିବ।

ଡିଜିଟାଲ ସ୍ତରୀୟ ପ୍ରଚାର ପ୍ରସାର ପାଇଁ କିଛି ପ୍ରସ୍ତାବ ଦିଆଯାଇଛି। ମୋଦି ସରକାରଙ୍କ ସଫଳତାକୁ ନେଇ ପ୍ରସ୍ତୁତ ହୋଇଥିବା ଭିଡିଓକୁ କେନ୍ଦ୍ରମନ୍ତ୍ରୀ, ଦଳର ବରିଷ୍ଠ ନେତା ଓ ପାର୍ଟି କ୍ୟାଡରମାନେ ସେମାନଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବେ। ବିଜେପିର ସୋଶାଲ ମିଡିଆ ଟିମ୍‌ ୮ ବର୍ଷ ପୂର୍ତ୍ତି ଯେମିତି ଏହା ଟ୍ରେଣ୍ଡ କରିବ, ତା’ର ବ୍ୟବସ୍ଥା କରିବ। ବିଭିନ୍ନ ମନ୍ତ୍ରଣାଳୟ ସେମାନଙ୍କ ପ୍ରୋଫାଇଲ ଓ କଭର ଫଟୋକୁ ଅପଡେଟ କରି “୮ ବର୍ଷ: ସେବା, ସୁଶାସନ ଓ ଗରିବଙ୍କ କଲ୍ୟାଣ”ର ପ୍ରଚାର ଫଟୋ ରଖିବେ।

ଏହାବାଦ ବିଭିନ୍ନ ଭାଷାରେ ସରକାରଙ୍କ ଯୋଜନାର ଭିଡିଓ ପ୍ରସ୍ତୁତ କରାଯିବ। ଲୋକମାନେ କେମିତି ସରକାରୀ ଯୋଜନାର ଲାଭ ପାଇଛନ୍ତି, ତା’ ଉପରେ ମଧ୍ୟ ଛୋଟ ଛୋଟ ଭିଡିଓ କାହାଣୀ ପ୍ରସ୍ତୁତ କରାଯାଇ ସୋଶାଲ ମିଡିଆରେ ପ୍ରଚାର କରାଯିବ। ପ୍ରତିଟି ମନ୍ତ୍ରଣାଳୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇବେ। ୮ ବର୍ଷ ମଧ୍ୟରେ ସରକାର ହାସଲ କରିଥିବା ସଫଳତା ଓ ରିପୋର୍ଟ କାର୍ଡକୁ ମଧ୍ୟ ବିଭିନ୍ନ ପ୍ରଭାବଶାଳୀ ସୋଶାଲ ମିଡିଆ ବ୍ୟକ୍ତିବିଶେଷଙ୍କ ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶ କରିବାକୁ ମଧ୍ୟ ବିଜେପି ଯୋଜନା କରିଛି।

Related Posts