
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଗୋଆ କଂଗ୍ରେସର ୮ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଏହାପରେ କଂଗ୍ରେସ ଅଭିଯୋଗ କରିଛି ଯେ ଏହାର ଆଠ ଜଣ ବିଧାୟକ ଗୋଆରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ନେଇ ବିଜେପି ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। କଂଗ୍ରେସର ଭାରତ ଯୋଡ ଯାତ୍ରା ବିରୋଧରେ ବିଜେପି ଅପରେଶନ କାଦୁଅ ଷଡ଼ଯନ୍ତ୍ର ରଚିଛି । ଭାରତ ଯୋଡ ଯାତ୍ରାକୁ ମିଳୁଥିବା ଜନ ସମର୍ଥନ ଓ ସଫଳତାରେ ବିଜେପି ନିରାଶ ହୋଇଛି। କଂଗ୍ରେସ ପକ୍ଷରୁ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ବୁଧବାର ଏହା କହିଛନ୍ତି। ସେ ଟୁଇଟ କରି ଆହୁରି କହିଛନ୍ତି ଯେ, ଗୋଆରେ ବିଜେପିର ଅପରେଶନ କାଦୁଅ ଦ୍ରୁତ ଗତିରେ ଚାଲିଛି ଏହାହିଁ ଭାରତ ଯୋଡ ଯାତ୍ରାର ସଫଳତାକୁ ଦର୍ଶାଉଛି। ଏଭଳ କରି ବିଜେପି ଲୋକଙ୍କ ଧ୍ୟାନ ହଟାଇବାର ବୃଥା ପ୍ରୟାସ କରୁଛି। ରମେଶ ଆହୁରି କହିଛନ୍ତି ଯେ, ଆମେ ଏହି ଯାତ୍ରା ଜାରି ରଖିବୁ। ଆମେ ବିଜେପିର ଏଭଳି ଛୋଟ ଛୋଟ କଥାକୁ ନେଇ ବ୍ୟଥିତ ହେବୁ ନାହିଁ।
ଅନ୍ୟପକ୍ଷରେ କଂଗ୍ରେସର ଗଣମାଧ୍ୟମ ତଥା ପ୍ରଚାର ମୁଖ୍ୟ ପୱନ ଖେରା ଏନେଇ କହିଛନ୍ତି ଯେ, ଏହା ପୁଣି ପ୍ରମାଣିତ ହୋଇଛି ଯେ ବିଜେପି କେବଳ ଭାଙ୍ଗି ପାରିବ। ସେମାନେ ଯୋଡିବା କିମ୍ବା ଗଢ଼ିବା ଜାଣି ନାହାନ୍ତି।