୨୦୨୪ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ଆରମ୍ଭ, ସମସ୍ତ ରାଜ୍ୟର ପ୍ରଭାରୀଙ୍କ ସହ ଜେପି ନଡ୍ଡାଙ୍କ ବୈଠକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଙ୍ଗଳବାର ଦଳର ସମସ୍ତ ରାଜ୍ୟ ପ୍ରଭାରୀଙ୍କ ସହ ବୈଠକ କରିଛନ୍ତି । ଏହି ଅବସରରେ ସେ ସଂଗଠନକୁ ଅଧିକ ମଜଭୁତ କରିବା ଉପରେ ଜୋର ଦେଇଛନ୍ତି । ଏହାସହ ୨୦୨୩ରେ କିଛି ରାଜ୍ୟରେ ଥିବା ବିଧାନସଭା ନିର୍ବାଚନ ପ୍ରସ୍ତୁତିର ପ୍ରକ୍ରିୟା ଉପରେ ଚର୍ଚ୍ଚା କରିଛନ୍ତି । ତେବେ ଦଳର ନବନିଯୁକ୍ତ ରାଜ୍ୟ ପ୍ରଭାରୀଙ୍କ ସହ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଏହା ପ୍ରଥମ ବୈଠକ ।ନଡ୍ଡାଙ୍କ ସହ ଏହି ବୈଠକରେ ବିଜେପିର ସଂଗଠନ ମହାସଚିବ ବିଏଲ ସନ୍ତୋଷ ମଧ୍ୟ ଉପସ୍ଥିତ ରହିଥିଲେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ବୈଠକରେ ୨୦୨୪ ସାଧାରଣ ନିର୍ବାଚନ ଉପରେ ବ୍ୟାପକ ଚର୍ଚ୍ଚା ହୋଇଛି। ବୈଠକରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳ୍ପବ କୁମାର ଦେବ, ବିଜେପି ମହାସଚିବ ଅରୁଣ ସିଂ, ବିନୋଦ ତାୱେଡ, ଅରୁଣ ଚୁଗ ଏବଂ ସୁନୀଲ ବଂସଲ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ମାସ ଆରମ୍ଭରେ ବିଜେପି ବିନୋଦ ତାୱଡେଙ୍କୁ ବିହାର, ରୁପାଣୀଙ୍କୁ ପଞ୍ଜାବ ଏବଂ ବିଳ୍ପବ ଦେବଙ୍କୁ ହରିୟାଣାର ପ୍ରଭାରୀ ନିଯୁକ୍ତ କରିଥିଲା। ସେହିପରି ସୁନୀଲ ବଂସଲଙ୍କୁ କ୍ଷେତ୍ରୀୟ ପ୍ରଭାରୀ ଭାବେ ପଶ୍ଚିମବଙ୍ଗ, ତେଲେଙ୍ଗାନା ଏବଂ ଓଡ଼ିଶାର ଦାୟିତ୍ୱ ଦିଆଯାଇଥିଲା। ଏହି ନେତା ମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

Related Posts