ଉଦ୍ଧବ ଗୋଷ୍ଠୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା; ଅସଲି ଶିବସେନା କିଏ ? ନିଷ୍ପତି ନେବେ ନିର୍ବାଚନ ଆୟୋଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅସଲି ଶିବସେନା କିଏ ? ଏହି ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଉଦ୍ଧବ ଗୋଷ୍ଠୀଙ୍କୁ ଏକ ଶକ୍ତ ଝଟକା ଦେଇଛନ୍ତି। ଏହା ସହିତ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ବଡ ଆଶ୍ଵସ୍ତି ମିଳିଛି। ଅସଲି ଶିବସେନା କିଏ ଏହାର ନିଷ୍ପତ୍ତି ନିର୍ବାଚନ ଆୟୋଗ ନେବେ। ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ଆବେଦନ ଖାରଜ କରି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରି ନିର୍ବାଚନ ଆୟୋଗଙ୍କୁ ପ୍ରକୃତ ଶିବସେନା କିଏ ଏବଂ କେଉଁ ଗୋଷ୍ଠୀକୁ ନିର୍ବାଚନୀ ଚିହ୍ନ ଦିଆଯିବ ତାର ନିଷ୍ପତ୍ତି ନେବାକୁ ଅଧିକାର ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ମାମଲାର ଶୁଣାଣି ପାଇଁ ନିର୍ବାଚନ ଆୟୋଗ ସ୍ଵତନ୍ତ୍ର। ନ୍ୟାୟାଳୟ ଉଦ୍ଧବ ଗୋଷ୍ଠୀଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। କୋର୍ଟଙ୍କ ରାୟ ପରେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ବଡ ଆଶ୍ଵସ୍ତି ମିଳିଛି।

ସୂଚନାଯୋଗ୍ୟ ଯେ, କିଛି ମାସ ପୂର୍ବେ ଏକନାଥ ସିନ୍ଦେଙ୍କ ସମେତ ଶିବସେନା ଦଳର ଅନେକ ବିଧାୟକ ବିଦ୍ରୋହ କରିଥିଲେ। ଲମ୍ବା ରାଜନୈତିକ ଡ୍ରାମା ପରେ ବିଦ୍ରୋହୀ ବିଧାୟକ ବିଜେପି ସହିତ ମିଶି ସରକାର ଗଠନ କରିଥିଲେ। ନୂଆ ସରକାରରେ ଏକନାଥ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଦେବେନ୍ଦ୍ର ଫଡନାଭିସଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇଛି। ବିଦ୍ରୋହୀ ଗୋଷ୍ଠୀଙ୍କ ଯୁକ୍ତି ଶିବସେନାର ଅଧିକାଂଶ ବିଧାୟକ ଏବଂ ସାଂସଦ ତାଙ୍କ ସହିତ ଅଛନ୍ତି। ତେଣୁ ନିର୍ବାଚନ ଚିହ୍ନ ସେମାନଙ୍କୁ ଦିଆଯିବା ଉଚିତ୍। ମାମଲା ନିର୍ବାଚନ ଆୟୋଗରେ ପହଞ୍ଚିଥିଲା। ତେବେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାବ ଦାବିରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ।

Related Posts