ବିଜେପିର ‘ରଥଯାତ୍ରା’ କ୍ଷମତା ପାଇଁ ଥିଲା, କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ ସତ୍ୟ ଉଜାଗର ପାଇଁ: କହ୍ନେୟା କୁମାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ନେତା କହ୍ନେୟା କୁମାର ବୁଧବାର କିଛି ଅଲଗା ଢଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି ଯେ, ୧୯୯୦ ମସିହାରେ ବିଜେପି ପକ୍ଷରୁ ଯେଉଁ ରଥଯାତ୍ରା କରାଯାଇଥିଲା ତାହା ଶାସନ କ୍ଷମତା ହାସଲ ପାଇଁ ଥିଲା । ତେବେ କଂଗ୍ରେସ ଯେଉଁ ଭାରତ ଯୋଡ ଯାତ୍ରା କରୁଛି ତାହା କେବଳ ‘ସତ୍ୟ’ ପାଇଁ । ତେବେ କହ୍ନେୟା କୁମାରଙ୍କୁ ଭାରତ ଯୋଡ ଯାତ୍ରା ପାଇଁ ଦଳ ପକ୍ଷରୁ ଭାରତ ଯାତ୍ରୀ କରାଯାଇଛି । ସେ ରାହୁଲ ଗାନ୍ଧୀଙ୍କ ସହ କନ୍ୟାକୁମାରୀରୁ କାଶ୍ମୀର ଯାଏ ୩୫୭୦ କିଲୋମିଟର ଯାତ୍ରା କରିବେ ।

ତେବେ ଏହି ଯାତ୍ରାକୁ ନେଇ କହ୍ନେୟା ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସର ଏହି ଉଦ୍ୟମ ରାଜନୈତିକ ନୁହେଁ । କରୋନା କାଳରେ ସାଧାରଣ ଜନତା ଦିଲ୍ଲୀ, ମୁମ୍ବାଇରୁ ଚାଲି ଚାଲି ବିହାର ଯାଏ ଯାଇଥିଲେ । ବର୍ତ୍ତମାନ ମଧ୍ୟ ଦେଶର ନେତା ଚାଲିଚାଲି ବିଭିନ୍ନ ସ୍ଥାନକୁ ଯିବେ । ଖବର ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଏହି ଯାତ୍ରା ଦେଶର ଚିନ୍ତାଧାରାର ପ୍ରତିନିଧିତ୍ୱ କରୁଛି । ତେବେ ୧୯୯୦ର ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରାକୁ ନେଇ ପ୍ରଶ୍ନର ଉତ୍ତରରେ କହିଛନ୍ତି, ସେହି ରଥଯାତ୍ରା ରାଜନୈତିକ ଯାତ୍ରା ଥିଲା ଯାହା ଶାସନ କ୍ଷମତା ହାସଲ ପାଇଁ ହୋଇଥିଲା । ଏହି ଯାତ୍ରା ସତ୍ୟକୁ ଉଜାଗର ପାଇଁ ହୋଇଛି । ଯାତ୍ରାର ଲକ୍ଷ୍ୟ ବାବଦରେ ପ୍ରଶ୍ନ ପରେ ସେ କହିଥିଲେ, ଯଦି ଲୋକ ସାମାଜିକ ଗଣମାଧ୍ୟମରେ ଚାଲୁଥିବା ଖବରର ଆଧାରରେ ଭୁଲବୁଝାମଣାର ଶିକାର ହେବେ ତେବେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଲୋକଙ୍କ ଭାଇଭଉଣୀ ହୋଇ ତାଙ୍କ କଥା ଶୁଣିବାକୁ ପଡିବ । ମୁଁ ଜଣେ ବିହାରୀ, ଆପଣମାନେ ଦେଖିଥିବେ କରୋନା କାଳରେ ଲୋକମାନେ ଗୁରୁଗ୍ରାମ, ମୁମ୍ବାଇ ଭଳି ସ୍ଥାନରୁ ଚାଲିଚାଲି ବିହାରରେ ପହଞ୍ଚିଥିଲେ । ତେବେ କଣ ନେତା ମାନଙ୍କୁ ଚାଲିବା ଦରକାର ନାହିଁ କି? ବୋଲି ସେ କହିଛନ୍ତି।

Related Posts