ଶରଦ ପାୱାରଙ୍କୁ ଭେଟିଲେ ନୀତିଶ କୁମାର; ବିରୋଧୀଙ୍କୁ ଏକଜୁଟ କରିବା ଲକ୍ଷ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦେଶର ବିରୋଧୀ ଦଳ ଗୁଡ଼ିକୁ ବିଜେପି ବିରୋଧରେ ଏକଜୁଟ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ନୀତିଶ ଦିଲ୍ଲୀ ଗସ୍ତ କରି ଭିନ୍ନ ଭିନ୍ନ ବିରୋଧୀ ଦଳର ନେତା ମାନଙ୍କୁ ସାକ୍ଷାତ କରୁଛନ୍ତି। ଏହି ସାକ୍ଷାତର ମୁଖ୍ୟ କାରଣ ହେଉଛି ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାର ବିଜୟ ରଥକୁ ରୋକିବା ପାଇଁ ବିରୋଧୀଙ୍କୁ ଏକଜୁଟ କରିବା। ଏହି କ୍ରମରେ ବୁଧବାର ନୀତୀଶ କୁମାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଛନ୍ତି।ଉଭୟଙ୍କ ମଧ୍ୟରେ ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି। ଏନସିପି ମୁଖ୍ୟଙ୍କୁ ଭେଟିବା ପରେ ନୀତୀଶ କୁମାର କହିଛନ୍ତି ଯେ, ଆମ ଭିତରେ ବହୁତ ଭଲ ବାର୍ତ୍ତାଳାପ ହୋଇଛି। ଭାଜପାକୁ ହଟାଇବାକୁ ହେଲେ ବିରୋଧୀ ଏକଜୁଟ ହେବା ଆବଶ୍ୟକ। ଯଦି ବିରୋଧୀ ଏକଜୁଟ ହୁଅନ୍ତି ତେବେ ଏହା ଦେଶ ପାଇଁ ଭଲ। ଏହାପୂର୍ବରୁ ନୀତୀଶ କୁମାର କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କୁ ଭେଟିଥିଲେ।

ନୀତୀଶ କୁମାର ଗତ ମାସରେ ବିହାରରେ ଭାଜପା ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ସରକାର ଗଠନ କରିଥିଲେ। ସେବେଠାରୁ ସେ ବିରୋଧୀ ଏକତା ଉପରେ ଲଗାତାର ଗୁରୁତ୍ୱ ଦେଉଛନ୍ତି। ମଙ୍ଗଳବାର ନୀତୀଶ କୁମାର କହିଥିଲେ, ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି କିମ୍ବା ଏଥିପାଇଁ ଆଗ୍ରହୀ ନୁହଁନ୍ତି କିନ୍ତୁ ଭାରତୀୟ ଜନତା ପାର୍ଟି (ଭାଜପା) ବିରୋଧରେ ବିରୋଧୀ ଦଳକୁ ଏକଜୁଟ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।

Related Posts