କ୍ୟାବିନେଟ୍ ମଞ୍ଜୁରୀ ପାଇଲା ‘ପିଏମ୍‌ ଶ୍ରୀ’ ଯୋଜନା, ଯୋଜନା ଅଧୀନରେ ଦେଶର ପ୍ରତି ବ୍ଲକରେ ରୂପାନ୍ତରିତ ହେବ ୨ଟି ସ୍କୁଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍‌ ରାଇଜିଂ ଇଣ୍ଡିଆ (ପିଏମ୍‌ ଶ୍ରୀ) ଯୋଜନା ଆଧାରରେ ଏକ ନୂଆ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଆଜି ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦେଶର ପାଖାପାଖି ୧୪, ୫୦୦ ସ୍କୁଲକୁ ଏହି ଯୋଜନା ମାଧ୍ୟମରେ ରୂପାନ୍ତରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏହା ସହିତ କିଛି ନୂଆ ସ୍କୁଲ ମଧ୍ୟ ନିର୍ମାଣ କରାଯିବାକୁ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି । କେବଳ ସେତିକି ନୁହେଁ ନିର୍ମାଣ ହେବାକୁ ଥିବା ସ୍କୁଲଗୁଡିକୁ ନବୋଦୟ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସହିତ ମଧ୍ୟ ସାମିଲ କରାଯିବ ।

ଏହି ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ସ୍କୁଲଗୁଡିକର ରୂପରେଖ ବଦଳାଇବା ସହିତ ଭିତ୍ତିଭୂମିର ବିକାଶ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ବେଶ ସହାୟକ ହେବ ପିଏମ୍‌ ଶ୍ରୀ ଯୋଜନା । ଏହା ଦ୍ବାରା ଏକ ସର୍ଚ୍ଚ ଓରିଏଣ୍ଟେଡ୍‌ ଏବଂ ଭଲ ଶିକ୍ଷା ସିଖିବାର ପ୍ରଣାଳୀ ଉପରେ ଜୋର ଦିଆଯିବ । ସ୍ମାର୍ଟ କ୍ଲାସରୁମ, ଖେଳ ଏବଂ ଅନ୍ୟ ଆଧୁନିକ ଭିତ୍ତିଭୂମି ଉପରେ ମଧ୍ୟ ନଜର ଦିଆଯିବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ କହିଛନ୍ତି ଯେ, ‘୨୦୨୨ ରୁ ୨୦୨୭ ମସିହା ମଧ୍ୟରେ ଦେଶର ପ୍ରାୟ ୧୪,୬୦୦ ସ୍କୁଲର ରୂପରେଖ ସମ୍ପୂର୍ଣ୍ଣ ଭାବେ ବଦଳାଯିବ । ଏଥିପାଇଁ କେନ୍ଦ୍ରର ମୋଦି ସରକାର ୨୭, ୩୬୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଦେଶର ପ୍ରତି ବ୍ଲକରେ ଦୁଇଟି ସ୍କୁଲର ଗୁଣବତ୍ତା ବଢାଯିବା ସହିତ ବିକାଶ କରାଯିବ । ଏଥିପାଇଁ ରାଜ୍ୟ ସରକାର ମାନଙ୍କ ସହ ମଧ୍ୟ ଆଲୋଚନା କରାଯିବ । ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସ୍କୁଲଗୁଡିକର ଗୁଣାତ୍ମକ ବିକାଶ।’

Related Posts