ସଫଳ ହେବ ଅନାଥାଶ୍ରମ !

ସତ୍ୟପାଠ ବ୍ୟୁରୋ : ରାଜନୀତିରେ କିଏ ଚାଣକ୍ୟ କିଏ କାଲମାକ୍ସ, ବୋଲାଉଥିବା ବେଳେ ରାଜ୍ୟ ବିଜେପି କିନ୍ତୁ ଖ୍ରୀଷ୍ଟପୂର୍ବ ଦ୍ୱାଦଶ ଶତାବ୍ଦିର ବିଦ୍ୱାନ ବିଷ୍ଣୁ ଶର୍ମାଙ୍କ ଲିଖିତ ପଂଚତନ୍ତ୍ରକୁ ଆପଣାଇବା ଭଳି ଲାଗୁଛି । ପଂଚତନ୍ତ୍ରରେ ଏକ ଲୋକପ୍ରିୟ କାହାଣୀ ଦୁଇ ବିଲେଇ, ପିଠା ଓ ମାଙ୍କଡର କାହାଣୀ ଯାହାର ସାରାଂଶ ହେଲା , ଦୁଇଜଣଙ୍କ କଳିରେ ତୃତୀୟ ବ୍ୟକ୍ତି ସବୁବେଳେ ଫାଇଦାରେ ଥାଏ । ବିଜେଡି ଆଉ କଂଗ୍ରେସରେ ଟିକେଟକୁ ନେଇ ନେତା ଓ ହାଇକମାଣ୍ଡଙ୍କ ମଧ୍ୟରେ ଯେଭଳି ଟଣାଓଟରା ସେଥିରୁ କିଭଳି ଅଧିକ ଫାଇଦା ଉଠାଇହେବ, ସେ କାମରେ ରାଜ୍ୟ ବିଜେପି ନେତା ଏବେ ଫୁଲ ଦମରେ ଲାଗିଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ହେଉଛି ମାର୍ଚ୍ଚ ୨୫ ତାରିଖ । ୨୨ ତାରିଖ ହୋଲି, ତେଣୁ ଆଉ ବାକି ରହିଲା ମାତ୍ର ୩ ଦିନ । ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଲେଣି । ବିଜେପି ଏଯାଏଁ କରିନାହିଁ । ବିଳମ୍ବକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଖୁଲମଖୁଲା ସମାଲୋଚନା କରାଯିବା ସହ ବିଜେପିର ଉଦ୍ଦେଶ୍ୟକୁ ସନ୍ଦେହ ପ୍ରକାଶ କରିଛି । ଅବଶ୍ୟ ବିଜେପି ଯେକୌଣସି ମୁହୂର୍ତ୍ତରେ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ । କିନ୍ତୁ ଚୁପ ବିଜେପି ଚୁପ ରହିବା ପଛର ଯେଉଁ ରାଜନୀତି ଆଲୋଚନା ହେଉଛି, ତାହା ହେଉଛି ବିଜେପି ପକ୍ଷରୁ ଏବେ ବିଭୀଷଣ ବେଉଷଣ କାର୍ଯ୍ୟକ୍ରମ ଚାଲିଛି । ଅର୍ଥାତ୍ ବିଜେଡି ଓ କଂଗ୍ରେସରୁ ଯିଏ ବାଦ ପଡିବେ, ତାଙ୍କ ବେକରେ ହାର ପକାଇ ଭାୟା ଦିଲ୍ଲୀ ହୋଇ ରାମମନ୍ଦିର ନିକଟକୁ ନେବ ।

ବିଜେପି ଯେଭଳି ଭାବେ ନେତା ଗୋଟାଉଛି ଲାଗୁଛି ଯେଭଳି ଅନାଥାଶ୍ରମ ବା ସେଲଟର ଟିଏ ଖୋଲାଯାଇଛି । ଯେଉଁ ନେତା , ବିଧାୟକ ବା ସାଂସଦ ବିଜେଡି ଛେଉଁଣ୍ଡ ବା କଂଗ୍ରେସ ଛେଉଁଣ୍ଡ ହେବେ, ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ବିଜେପି ସେଲଟର ହୋମରେ ଥଇଥାନ କରାଯିବ । ବିଜେପି ଯେଉଁ ପ୍ରମୁଖ ଛେଉଁଣ୍ଡ ମୁହଁ ମାନଙ୍କୁ ଏବେ ପରିଚୟ ବା ଠିକଣା ଦେଇଛି ଏମାନେ ହେଲେ ସର୍ବଶ୍ରୀ ଚୌକିଦାର ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ପ୍ରକାଶ ବେହେରା ପ୍ରମୁଖ । ନିର୍ବାଚନ ପୂର୍ବରୁ ମିଶ୍ରଣ, ଅପମିଶ୍ରଣ , ଫେଡାଣ କିଛି ନୁଆ କଥା ନୁହେଁ । କିନ୍ତୁ ଚଳିତ ଥର ବିଜେପିରେ ଏତେ ସଂଖ୍ୟକ ଯେଭଳି ନେତାଙ୍କୁ ଗୋଟାଉଛି , ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଯେ ହୁଏତ ବିଜେପି ନିଜର ପୁରୁଣା ତଥା ବିଶ୍ୱସ୍ତ ନେତାଙ୍କୁ ବଂଚିତ କରି ବହୁତ ବଡ ରିସ୍କ ନେଉଛି । ଏହାର ଅନ୍ୟ ଦିଗଟି ହେଲା, ଯେ ବିଜେପିରେ ପ୍ରକୃତରେ କଣ ନିଜସ୍ୱ ଯୋଗ୍ୟ ନେତାଙ୍କର କଣ ଏତେ ଅଭାବ ରହିଛି । ଯଦି ଏହା ଠିକ୍ ତାହାହେଲେ, କେଉଁ ନେତାଙ୍କ ମୁହଁକୁ ଦେଖିକି ଅମିତ ଶାହା ମିଶନ ୧୨୦ ପ୍ଲସର ବାହାସ୍ଫୋଟ ମାରିଥିଲେ ।

ବିଗତ ୨୦ ବର୍ଷ ଇତିହାସର ନଜୀର ହେଉଛି, ଦଳଡିଆଁ ଛେଉଣ୍ଡ ନେତା ଓ ଅନାଥାଶ୍ରମର ମହନ୍ତ ମାନେ କେବେ ବି କ୍ଷମତାକୁ ଆସିବାରେ ସଫଳ ହୋଇ ନାହାଁନ୍ତି । ୨୦୦୪ ଓ ୨୦୦୯ରେ ବହୁ ବଡ ବଡ ନେତା ଦଳ ଛେଉଣ୍ଡ ହୋଇଥିଲେ । ରାମକୃଷ୍ଣ ପଟ୍ଟନାୟକ, ବ୍ରଜକିଶୋର ତ୍ରିପାଠୀ, କମଳା ଦାସ, ନଳୀନି ମହାନ୍ତି, ଶରତ କର , ତାରା ବାହିନୀପତି । କିନ୍ତୁ ସେଭଳି ଆଖିଦୃଶିଆ କିଛି କରି ପାରି ନଥିଲେ । ସେ ଦୃଷ୍ଟିରୁ ବିଷ୍ଣୁ ଶର୍ମାଙ୍କ ନୀତିବାଣୀ ବିଜେପି କ୍ଷେତ୍ରରେ କେତେ ଠିକ ହେବ ତାହାର ପୂର୍ବାନୁମାନ ସମ୍ଭବ ନୁହେଁ ।

ସବୁଠୁ ବଡ କଥା ହେଲା, ବିଜେଡି ଯେଭଳି ସାହାସର ସହ ବିଜୟୀ ବିଧାୟକ ଓ ସାଂସଦଙ୍କୁ ବାହାର କରୁଛି । ତାହା ଦର୍ଶାଉଛି, ନବୀନ ବାବୁ ନିଜର ହୋମୱାର୍କ ଠିକ ଠାକ କରିଛନ୍ତି । ତାହା ନ ହୋଇଥିଲେ ଦଳ ବିରୋଧରେ ଆଣ୍ଟି ଏଷ୍ଟାବ୍ଲିସମେଣ୍ଟ ହାୱା ଥିବା ବେଳେ ଚାପର ବଶବର୍ତ୍ତୀ ନହୋଇ ଜିତିଥିବା ଏମପି ଏମଏଲଏଙ୍କୁ ବାହାର କରି ନଥାନ୍ତେ । ତେଣୁ ଫଳାଫଳ ବାହାରିଲେ ଜଣାପଡିବ ଅନାଥାଶ୍ରମ ସୂତ୍ର କାମ ଦେଲା ନା ନବୀନ ବାବୁଙ୍କ ଫର୍ମୁଲା କାମ ଦେଲା ।

Related Posts