ମାଷ୍ଟର ପେଣ୍ଟର

ରାଜନୀତିର ମୈଦାନ ଯଦି ଏକ କାନଭାସ୍ ହୁଏ ତାହାଲେ ଏହାର ମାଷ୍ଟର ପେଣ୍ଟର ହେଲେ ନବୀନ । ନିଜର ଏବଂ ଦଳର ଚେହେରାକୁ ଲୋକଙ୍କୁ ସୁହାଇଲା ଭଳି ଚିତ୍ର ବିଚିତ୍ର ରଙ୍ଗ ଭରିବାରେ ଆଉ ଲୋକଙ୍କୁ ସେଇ ରଙ୍ଗୀନ ଦୁନିଆକୁ ଟାଣିନେବାରେରେ ଯେ ନବୀନ ମାହିର୍ ତାହା ନିକଟରୁ କେତେକ ଘଟଣାରୁ ସ୍ପଷ୍ଟ ଅନୁମେୟ । ରାଜନୀତିକୁ ବୁଝିଥିବା ଲୋକେ ଠିକ ଜାଣିଥିବେ ଯେ, ରାଜନୀତି ସବୁବେଳେ ତଥ୍ୟ ଆଉ ଓ ସତ୍ୟ ଆଧାରରେ କରାଯାଏନି । ରାଜନୀତି ଅନେକାଂଶ ସମୟରେ ଅବଧାରଣାକୁ ନେଇକି ହୁଏ । ଲୋକଙ୍କ ଭାବପ୍ରବଣତାକୁ ଅନୁଭବ କରି ସେହି ଅନୁଯାୟୀ ନିଜକୁ ଏବଂ ନିଜର ଦଳର ରଙ୍ଗକୁ ରଙ୍ଗେଇପାରିଲେ ନାୟକ ଜଣକ ହଠାତ୍ ଲୋକଙ୍କ ମସିହା ପାଲଟିଯାଏ । ଗଲା ୧୯ ବର୍ଷ ଧରି ଠିକ୍ ସେମିତି କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜନତାଙ୍କ ଆଗରେ ନିଜର ଆଉ ବିଜେଡିର ଭାବମୂର୍ତ୍ତିକୁ ମହାନ୍ ଭାବରେ ଉପସ୍ଥାପିତ କରିବାର କୌଣସି ସୁଯୋଗକୁ ହାତଛଡା କରିନାହାନ୍ତି ରାଜନୀତିର ଏହି ମାଷ୍ଟରପେଣ୍ଟର । ଗତ ୧୮ ବର୍ଷ ମଧ୍ୟରେ ଶାସକ ବିଜେଡି ଉପରେ ଅନେକ ଆପତ୍ତି ଅଭିଯୋଗ ଉଠିଥିଲେ ହେଁ, ନବୀନ ବାବୁ ଗୋଟିଏ ଗୋଟିଏ ଝଟ୍କାରେ ସେ ସବୁକୁ ଫୁ କରି ଉଡେଇ ଦେଇଛନ୍ତି । ନବୀନବାବୁ ଯେ ଓଡିଶାବାସୀଙ୍କ ତ୍ରାଣକର୍ତ୍ତା ଏମିତିକା ଛବି ଅନ୍ୟ ଅର୍ଥରେ ସ୍କ୍ରିପ୍ଟ ଲୋକଙ୍କ ଆଗରେ ପ୍ରଦର୍ଶିତ କରାଯାଇଛି । ଟଙ୍କିକିଆ ଚାଉଳଠାରୁ ଆରମ୍ଭ କରି ମିଶନ ଶକ୍ତି, ପିଠା, କାଳିଆ, ଆମ ଗାଁ ଆମ ବିକାଶ ପରି ନୀତି ଯୋଜନା ମାଧ୍ୟମରେ ନିଜର ଚେହେରାକୁ ଭଲଭାବେ ଚମ୍କାଇଛନ୍ତି ନବୀନ ବାବୁ । ମହାକାଳ ଫଳ ପରି ନବୀନ ବାବୁଙ୍କର ସବୁ ଯୋଜନା ଭିତରୁ ଭିତରୁ ଫମ୍ପା ହୋଇଥିଲେ ମଧ୍ୟ ଉପରକୁ ଚକ୍ଚକ୍ କରିଆସିଛି । ସବୁ ଚକ୍ଚକ୍ କରୁଥିବା ଜିନିଷ ଯେ ସୁନା ନୁହେଁ ତାହା ନବୀନ ବାବୁ ଓଡିଶାବାସୀଙ୍କୁ କେବେ ଅନୁଭବ କରିବାକୁ ଦେଇନାହାନ୍ତି ।

ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ଅବସରରେ ନବୀନ ବାବୁ ପୁଣିଥରେ ନିଜ ଏବଂ ଦଳ ଦେହରେ ‘ପଲିଟିକାଲ କରେଜ୍’ ବ୍ରାଣ୍ଡର ଏମିତି ରଙ୍ଗ ବୋଳିଦେଲେ ଯେ, ବିରୋଧୀ ମାନେ ମଧ୍ୟ ଏହାର ଜବାବ୍ ଖୋଜି ପାଉନାହାନ୍ତି । ଆସ୍କା ପରି ଏକ ସମ୍ମାନଜନକ ଲୋକସଭା କ୍ଷେତ୍ରରୁ ପ୍ରମିଳା ବିଷୋୟୀଙ୍କ ପରି ଜଣେ ଆମାୟିକ ଅଳ୍ପଶିକ୍ଷିତା ମହିଳାଙ୍କୁ ପ୍ରାର୍ଥୀ କରି ଗୋଟିଏ ଝଟ୍କାରେ ନବୀନ ପୁଣିଥରେ ନିଜକୁ ରାଜ୍ୟର ୭୦ ଲକ୍ଷ ମହିଳାମାନଙ୍କ ମସିହା ଭାବେ ଉପସ୍ଥାପିତ କରିଦେଲେ । କେବଳ ଏତିକି ନୁହେଁ ବିରୋଧୀଙ୍କ ସହ ନିଜର ଦଳରେ ଅନ୍ତର୍ଘାତୀ କାର୍ଯ୍ୟକଳାପରେ ଲିପ୍ତ ଥିବା ନେତାମାନଙ୍କୁ ନବୀନ ସିଧାସିଧା ସଙ୍କେତ ଦେଲେ ଯେ ସେହିଁ ସର୍ବମାନ୍ୟ, ସର୍ବଶକ୍ତିମାନ । ବିରୋଧୀ କଂଗ୍ରେସ ଏବଂ ବିଜେପିରେ ଟିକେଟ ବଣ୍ଟନରେ ଆନୁଗତ୍ୟତା, କୋଟେରୀ ଲବି, ଅର୍ଥବଳ, ବାହୁବଳର ଧାକ୍ ରହିଥିଲା ବେଳେ ପ୍ରମିଳାଙ୍କୁ ଟିକେଟ ଦେଇ ନବୀନ ଯେ ବିଜେଡିରେ ଫ୍ୱାନ ମ୍ୟାନ ଆର୍ମି ତାହା ବିରୋଧୀଙ୍କୁ ସିଧାସିଧା ସନ୍ଦେଶ ଦେଲେ । ଗତ କିଛିଦିନ ହେବ ଦଳକୁ ବ୍ୟୁରୋକ୍ରାଟ, ଖଣିମାଫିଆ, ଚିଟଫଣ୍ଡ ମାଫିଆମାନେ ମାଡି ବସିଛନ୍ତି ବୋଲି ସାଧାରଣରେ ସନ୍ଦେଶ ଯାଉଥିଲା । ଧିରେ ଧିରେ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବାରେ ଲାଗିଥିଲା । ଠିକଣା ସମୟରେ ପ୍ରମିଳାଙ୍କ ସମେତ ୩ ଜଣ ମହିଳାଙ୍କୁ ପ୍ରାର୍ଥୀ କରି ନିଜକୁ ସବୁ ଅଭିଯୋଗ ଉପରି ନଜର ହଠାଇବାରେ କେତେକାଂଶରେ ସଫଳ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଘୋଷିତ ପ୍ରାର୍ଥୀ ତାଲିକାରେ ଅନେକ ଦୁର୍ନୀତିଖୋର୍ ଏବଂ ବିଭିନ୍ନ ବିବାଦରେ ଘାଣ୍ଟି ହେଉଥିଲା ବେଳେ ନବୀନଙ୍କ ଗୋଟିଏ ପ୍ରମିଳା ବାଣ ସେସବୁକୁ ପ୍ରଭାବହୀନ କରିବାରେ ସଫଳ ହୋଇଛି । ପ୍ରମିଳାଙ୍କୁ ପ୍ରାର୍ଥୀ କରି ନବୀନ ଗରିବ ଶ୍ରେଣୀର ମହିଳାଙ୍କ ଶସକ୍ତିକରଣ ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଯେଉଁମାନେ ଭାବୁଛନ୍ତି , ସେମାନେ ପେରାକ୍ଷରେ ବୋକାମୀ କରୁଛନ୍ତି । ଆଉ ନବୀନ ବୋକା ବନେଇବାରେ ସଫଳ ହୋଇଛନ୍ତି ମଧ୍ୟ । ସେଥିପାଇଁ ପରା ସେ ମାଷ୍ଟର ପେଣ୍ଟର !

Related Posts