ଅତାବିରାରେ ରୋଚକ ହେଲା କଳା ଚଷମା ପଲିଟିକ୍ସ

ଭୁବନେଶ୍ୱର,୧୯/୪(ସତ୍ୟପାଠ ବ୍ୟୁରୋ): ପ୍ରାର୍ଥୀ ଘୋଷଣା ପରେ ଏବେ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନମଣ୍ଡଳୀରେ ସରଗରମ ରାଜନୀତି | ଏଥର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନମନ୍ତ୍ରୀ ତଥା ଏବେ ବିଧାୟିକା ଥିବା ସ୍ନେହାଙ୍ଗିନୀ ଛୁରିଆ ଆଉ କଂଗ୍ରେସରୁ ଆସି ବିଜେପି ଟିକେଟରେ ଲଢ଼ୁଛନ୍ତି ନିହାର ମହାନନ୍ଦ | ତେବେ ପ୍ରଚାର ଆରମ୍ଭ ହେବା ସହିତ ମଇଦାନରେ ଉଭୟ ସ୍ନେହାଙ୍ଗିନୀ-ନୀହାରଙ୍କ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି |

ନିକଟରେ ଅତାବିରା ନିର୍ବାଚନମଣ୍ଡଳୀରେ ବିଜେଡି ସାଂସଦ ପ୍ରାର୍ଥୀ ପରିଣୀତା ମିଶ୍ରଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ଥିଲା। ଏହି ଅବସରରେ ବିଧାୟିକା ସ୍ନେହାଙ୍ଗିନୀ ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଯେଉଁଠି ଠିଆହୋଇ ଦେଖିବେ ଅତାବିରା ନିର୍ବାଚନମଣ୍ଡଳୀରେ ବିକାଶ ଦେଖାଯିବ। ଚାରିକଡ଼କୁ ବିରୋଧୀ ଅନାନ୍ତୁ। ଦେଖନ୍ତୁ କ’ଣ ବିକାଶ ହୋଇଛି? ଯୁଆଡ଼କୁ ଗଲେ କେବଳ ଫଳକ ହିଁ ଫଳକ। କଳା ଚଷମା ପିନ୍ଧି ଦେଖିଲେ, ସବୁ ଜିନିଷ କଳା ଦେଖାଯିବ ବୋଲି କଟାକ୍ଷ କରି କହିଥିଲେ ସ୍ନେହାଙ୍ଗିନୀ।

ଆଉ ଏହାର ପାଲଟା ଜବାବ ଦେଇଛନ୍ତି ବିଜେପି ପ୍ରାର୍ଥୀ ନୀହାର ମହାନନ୍ଦ | ନିହାର କହିଛନ୍ତି ଯେ, ଆମେ ମାନୁଛୁ କଳା ଚଷମା ପିନ୍ଧିଛୁ। ଏଥିପାଇଁ ୧୦ ବର୍ଷ ହେଲା ଶାସନ କରୁଥିଲ। ବିକାଶ ନାଁରେ ହରିଲୁଟ୍‌ ହେଉଥିଲା। ଚାଷୀଙ୍କ ପେଟରେ ଲାତ ମାରି କଟ୍‌ନିଛଟ୍‌ନି ନାଁରେ ବିଧାୟିକାଙ୍କ ଘରକୁ ଟଙ୍କା ଯାଉଥିଲା। ବିଧାୟିକା ଫଳକ କଥା କହୁଛନ୍ତି, ସେ ଯୁଆଡ଼େ ଗଲେ ଫଳକ ଲଗାଇ ନଡ଼ିଆ ପିଟନ୍ତି। କିନ୍ତୁ କାମ ହୁଏ ନାହିଁ | ଫଳକ ଲଗାଇଦେଲେ କଣ ବିକାଶ ହୁଏ ବୋଲି ପ୍ରଶ୍ନ କରିବା ସହ ଏଥର କଳା ଚଷମା ଲୋକେ ଖୋଲିବେ ଏବଂ ଉଚିତ ଜବାବ ଦେବେ ବୋଲି କହିଛନ୍ତି ନିହାର। ତେବେ ସ୍ନେହାଙ୍ଗିନୀ-ନୀହାରଙ୍କ ଏହି ବାକ୍‌ଯୁଦ୍ଧ ଏବେ ଅତାବିରା ରାଜନୀତିକୁ ଉସ୍ମ କରିଛି |

Related Posts