୧୯ର ୨୧ ସାଂସଦଙ୍କ ମଧ୍ୟରୁ ୧୧ ଜଣକର କଟିଲା ଟିକେଟ

ଭୁବନେଶ୍ୱର,୧୯/୪(ସତ୍ୟପାଠ ବ୍ୟୁରୋ): ଓଡିଶାର ବର୍ତ୍ତମାନ ଥିବା ୨୧ ଲୋକସଭା ସାଂସଦଙ୍କ ମଧ୍ୟରୁ ଏଥର ଅଧାରୁ ଅଧିକ ନିର୍ବାଚନ ଲଢିବାକୁ ଯାଉନାହାନ୍ତି । ପାଖାପାଖି ୧୧ଟି ଆସନରେ ନୂଆ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବାବେଳେ ୧୦ ଆସନରେ ବର୍ତ୍ତମାନର ସାଂସଦମାନେ ଲଢୁଛନ୍ତି ।

ଗତ 2019 ନିର୍ବାଚନରେ ବିଜେଡି ଟିକଟର ଲଢି ସାଂସଦ ହୋଇଥିବା ଆସ୍କାର ପ୍ରମିଳା ବିଶୋୟୀଙ୍କ ସ୍ଥାନରେ ରଂଜିତା ସାହୁଙ୍କୁ ଚାଳିତଥର ପ୍ରାର୍ଥୀ ଦଳ, ସେହିପରି ବ୍ରହ୍ମପୁରର ଚନ୍ଦ୍ରଶେଖର ସାହୁଙ୍କ ସ୍ଥାନରେ ପ୍ରାର୍ଥୀ ହୋଇଛନ୍ତି ବିଜେପିରୁ ଆସିଥିବା ଭୃଗୁ ବକ୍ସିପାତ୍ର, ଢେଙ୍କାନାଳର ମହେଶ ସାହୁଙ୍କ ସ୍ଥାନରେ ଅଭିନାଶ ସାମଲଙ୍କୁ ପ୍ରାର୍ଥୀ କରିଛି ଦଳ | ସେପଟେ କେନ୍ଦ୍ରାପଡାରୁ ସାଂସଦ ଥିବା ଅନୁଭବ ମହାନ୍ତିଙ୍କ ଜାଗାରେ କଂଗ୍ରେସରୁ ଆସିଥିବା ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି | ତେବେ ଇତି ମଧ୍ୟରେ କେନ୍ଦ୍ରାପଡାର ସାଂସଦ ଥିବା ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ସେପଟେ କେନ୍ଦୁଝରର ଚନ୍ଦ୍ରାଣି ମୁର୍ମୁଙ୍କ ସ୍ଥାନରେ ଧନୁର୍ଜୟ ସିଧୁ , ନବରଙ୍ଗପୁରର ରମେଶ ଚନ୍ଦ୍ର ମାଝିଙ୍କ ସ୍ଥାନରେ ପ୍ରଦୀପ ମାଝିଙ୍କୁ ଦଳ ପ୍ରାର୍ଥୀ କରିଛି | ସେପିପାରି ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ଏଥର ନିର୍ବାଚନ ଲଢୁନାହାନ୍ତି | ତାଙ୍କ ସ୍ଥାନରେ ଅରୂପ ପଟ୍ଟନାୟକ ହୋଇଛନ୍ତି ବିଜେଡି ପ୍ରାର୍ଥୀ | ସେପଟେ କଟକର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଏଥର ବିଜେଡି ଟିକଟ ଦେଇନାହିଁ । ହେଲେ ଭର୍ତ୍ତୃହରି ଏଥର କଟକରୁ ବିଜେପି ଟିକଟରେ ନିର୍ବାଚନ ଲଢୁଛନ୍ତି ।

ଅନ୍ୟପଟେ ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ତାଙ୍କ ଦଳ ପୁଣି କୋରାପୁଟ ଆସନରୁ ପ୍ରାର୍ଥୀ କରିଛି । ସେପଟେ ବିଜେପିର ପ୍ରାର୍ଥୀ ତାଲିକାକୁ ଦେଖିଲେ, ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ ଦଳ ସଂସଦୀୟ କ୍ଷେତ୍ରରୁ ଟିକଟ ନଦେଇ ତାଙ୍କୁ ବ୍ରଜରାଜନଗର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିଛି । କଳାହାଣ୍ଡିର ସାଂସଦ ତଥା ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡାଙ୍କୁ ବି ଏଥର ଦଳୀୟ ଟିକଟ ମିଳିନାହିଁ । ତେବେ ତାଙ୍କ ପୁଅକୁ ବିଜେପି ବିଧାନସଭା ପାଇଁ ପ୍ରାର୍ଥୀ କରିଛି ।

ସେହିପରି ବିଜେପିର ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କୁ ବିଜେପି ଏଥର ବଦଳାଇ ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକଟ ଦେଇଛି । ତେବେ ନିକଟରେ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଓ ପୁଅ ବିଜେଡିରେ ଯୋଗଦେବା ସହ ତାଙ୍କ ପତ୍ନୀଙ୍କୁ ବିଜେଡି ଦେବଗଡ ଆସନରୁ ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ସେହିପରି କେନ୍ଦ୍ରରେ ମନ୍ତ୍ରୀ ଥିବା ମୟୁରଭଞ୍ଜର ସାଂସଦ ବିଶେଶ୍ୱର ଟୁଡୁଙ୍କୁ ବିଜେପି ବଦଳାଇ ତାଙ୍କ ସ୍ଥାନରେ ରାଇରଙ୍ଗପୁରର ବିଧାୟକ ନବ ଚରଣ ମାଝିଙ୍କୁ ପ୍ରାର୍ଥୀ କରିଛି । ତେବେ ବିଶେଶ୍ୱରଙ୍କୁ ମୟୁରଭଞ୍ଜ ଜିଲ୍ଲାର କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି ଆଶା କରାଯାଉଥିବାବେଳେ, ଦଳ କିନ୍ତୁ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ଆସନ ପାଇଁ ତାହାର ତାଲିକା ଘୋଷଣା କରିସାରିଛି | ଆଉ ବିଶେଶ୍ୱର ଏଥିରୁ ବାଦ୍‍ ପଡିଛନ୍ତି ।

ସେପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପୁଣିଥରେ ନିଜ ନିଜ କ୍ଷେତ୍ରରୁ ନିର୍ବାଚନ ଲଢୁଥିବାବେଳେ ବିଜେଡିର ମଞ୍ଜୁଲତା ମଣ୍ଡଳ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ଅଚ୍ୟୁତ ସାମନ୍ତ ମଧ୍ୟ ନିଜ ନିଜ ସଂସଦୀୟ କ୍ଷେତ୍ରରୁ ପୁର୍ନବାର ସେମାନଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି | ହେଲେ ବର୍ତ୍ତମାନ ସାଂସଦ ଥାଇ ମଧ୍ୟ ଦଳୀୟ ଟିକେଟରୁ ବଂଚିତ ହୋଇଥିବା ନେତାଙ୍କର ଭାଗ୍ୟ କଣ ହେବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି |

Related Posts