ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): ଇଟା ଭାଟିରେ ଭୟଙ୍କର ବିସ୍ଫୋରଣ। ଇଟା ଭାଟିର ଚିମନିରେ ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ୧୨ରୁ ଅଧିକ ଲୋକ ବିସ୍ଫୋରଣ ପରେ ଇଟା ଭାଟି ତଳେ ଦବି ରହିଥିବା କୁହାଯାଉଛି। ବିିହାର ମୋତିହାରୀର ରାମଗଡବା ନରିଲଗିରି ଇଟା ଭାଟିରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।
ତେବେ ଇଟା ଭାଟି ଭିତରେ କିଛି ଶ୍ରମିକ କାମ କରୁଥିବା ବେଳେ ହଠାତ୍ ଚିମନି ଫାଟି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ରକ୍ସୌଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ପୁଲିସ ଓ ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଇଟା ଭାଟି ତଳେ ଏବେବି ୧୨ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।
ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟ୍ଵିଟ୍ କରାଯାଇଛି। ଯେଉଁଥିରେ ଲେଖାଯାଇଛି, ମୋତିହାରିରେ ହୋଇଥିବା ଦୁର୍ଘଟଣା ପାଇଁ ମୋଦି ଦୁଃଖିତ ଥିବା ବେଳେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କ ସୁସ୍ଥ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ ଫାଣ୍ଠିରୁ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।