ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ନିର୍ବାଚନ ବେଳେ ବିଜେଡି ଟିକେଟ୍ରୁ ବଞ୍ଚିତ ହେଲେ। ହେଲେ ହାର ନ ମାନି ସବୁ ବାଧାବିଘ୍ନ ମଧ୍ୟରେ କର୍ପୋରେଟର ପଦ ପାଇଁ ସ୍ବାଧୀନ ଭାବେ ନାମାଙ୍କନ ଭରି ଦଳୀୟ ନେତୃବୃନ୍ଦଙ୍କୁ ଚ୍ୟାଲେଞ୍ଜ କଲେ। ନିଜ ଦକ୍ଷତାରେ ଦଳୀୟ ପ୍ରାର୍ଥୀଙ୍କୁ ପରାସ୍ତ କରି ୱାର୍ଡରେ ଥିବା ନିଜ ପତିଆରା ସମ୍ପର୍କରେ ନେତୃବୃନ୍ଦଙ୍କୁ ଜଣାଇବା ପରେ ଏବେ ଘର ବାହୁଡ଼ା କରିଛନ୍ତି ବିଏମ୍ସିର ୭ ଜଣ ସ୍ବାଧୀନ କର୍ପୋରେଟର।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ୍, ୯ ନମ୍ବର ୱାର୍ଡର ସୁଷମା ସାହୁ, ୨୪ ନମ୍ବର ୱାର୍ଡର ଦୀପକ କୁମାର ସାହୁ, ୪୬ ନମ୍ବର ୱାର୍ଡର ପୁଷ୍ପା ରାଉତ, ୬୦ ନମ୍ବର ୱାର୍ଡର ଚନ୍ଦ୍ରଶେଖର ମଲିଆ, ୧୩ ନମ୍ବର ୱାର୍ଡର ଇତିଶ୍ରୀ ଦାସ, ୧୫ ନମ୍ବର ୱାର୍ଡର ପିଙ୍କି ସ୍ବାଇଁ ବିଜେଡିରେ ସାମିଲ ହୋଇଛନ୍ତି। ଏମାନେ ମିଶିବା ପରେ ବିଏମ୍ସିରେ ବିଜେଡିର କଳେବର ବଢ଼ିଛି। ପୂର୍ବରୁ ବିଜେଡିର ୪୮ଜଣ କର୍ପୋରେଟର ଥିବା ବେଳେ ଆଜି ୭ଜଣ ମିଶିବା ପରେ ଏହି ସଂଖ୍ୟା ୫୫ରେ ପହଞ୍ଚିଛି। ମୋଟ ୬୭ଟି ୱାର୍ଡ ମଧ୍ୟରୁ ୧୦ଟିରେ ବିଜେପି କର୍ପୋରେଟର ଥିବା ବେଳେ ଆଉ ଦୁଇ ଜଣ ସ୍ବାଧୀନ କର୍ପୋରେଟର (୫୮ ନମ୍ବର ୱାର୍ଡର ନମିତା ମହାପାତ୍ର ଓ ୬୫ ନମ୍ବର ୱାର୍ଡର ରଶ୍ମିରଞ୍ଜନ ପାଟ୍ଟଶାଣୀ) ଏପର୍ଯ୍ୟନ୍ତ ବିଜେଡିରେ ସାମିଲ ହୋଇନାହାନ୍ତି। ଆଜି ମିଶ୍ରଣ ପର୍ବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଏଥର ବିଏମ୍ସି ନିର୍ବାଚନରେ ମୋଟ ୯ ସ୍ବାଧୀନ କର୍ପୋରେଟର୍ ପ୍ରାର୍ଥୀ ବିଜୟ ଲାଭ କରିଥିଲେ। ବିଜେଡିରୁ ଟିକେଟ୍ ନ ମିଳିବା ପରେ ସେମାନେ ସ୍ବାଧୀନ ଭାବେ ପ୍ରାର୍ଥୀ ହେବା ସହ ଜିତିଥିଲେ। ତେଣୁ ସମସ୍ତ ସ୍ବାଧୀନ କର୍ପୋରେଟର ବିଜେଡିରେ ସାମିଲ ହେବା ନେଇ ଗତ ୯ ମାସ ହେଲା ଚର୍ଚ୍ଚା ଚାଲିଥିଲା। ଏମିତିକି ନିର୍ବାଚନ ସରିବାର ଦୁଇ ମାସ ମଧ୍ୟରେ ତିନି ଜଣ କର୍ପୋରଟେର ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ। ଆଉ ଯେଉଁମାନେ ବି ବାକି ରହିଥିଲେ ସେମାନେ ୯ମାସ ଧରି ମାନସମନ୍ଥନ କରିବା ପରେ ସେମାନଙ୍କ ମଧ୍ୟରୁ ୪ଜଣ ଶାସକ ଦଳ ଆଡ଼କୁ ଢ଼ଳିଛନ୍ତି। ବିଜେଡି ମଧ୍ୟ ଏମାନଙ୍କୁ ସାମିଲ କରି ନିଜର କଳେବର ବଢ଼ାଇଛି।
୭ଜଣ କର୍ପୋରେଟର ବିଜେଡିରେ ଯୋଗଦେବା ପରେ ପୂର୍ବ କାଉନ୍ସିଲ୍ର ପୁନରାବୃତ୍ତି ହୋଇଛି। ୨୦୧୪ ନିର୍ବାଚନ ସମୟରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ବିଜେଡି ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ବହୁ ସଂଖ୍ୟକ ନେତା ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସେମାନେ ଦଳୀୟ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ ଦେବା ସହ ୧୨ଜଣ ସ୍ବାଧୀନ ପ୍ରାର୍ଥୀ ବିପୁଳ ଭୋଟରେ ବିଜୟ ହାସଲ କରିଥିଲେ। ମାତ୍ର ନିର୍ବାଚନ ପରେ ସେମାନେ ବିଜେଡିରେ ସାମିଲ ହୋଇଯାଇଥିଲେ। ଏମିତିକି କଂଗ୍ରେସର ଦୁଇ ଜଣ କର୍ପୋରେଟର ମଧ୍ୟ ବିଜେଡିରେ ଯୋଗଦେଇଥିଲେ।