(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ମଧ୍ୟ ଆଗକୁ ଆସୁଛି ପାର୍ବଣ ଋତୁ । ଏହି ସମୟରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏ ସବୁକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୦ ତାରିଖରେ ପାଳିତ ହେବାକୁ ଥିବା ଗଶେଶ ପୂଜା ପାଇଁ ବିଏମ୍ସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି।
BMC ଗାଇଡଲାଇନ ଅନୁଯାୟୀ, ମଣ୍ଡପ ବା ପେଣ୍ଡାଲରେ କୋଭିଡ କଟକଣା ମଧ୍ୟରେ ପୂଜା କରିବାକୁ ଅନୁମତି ମିଳିବ ଏବଂ ପୂଜା ପାଇଁ କମିଶନରେଟ ପୁଲିସ୍ର ଅନୁମତି ନେବା ବାଧ୍ୟତାମୂଳକ। ମଣ୍ଡପର ୩ ପାର୍ଶ୍ୱ ସମ୍ପୂର୍ଣ୍ଣ ବନ୍ଦ ରହିବ ଏବଂ ଚତୁର୍ଥ ପଟ ବି ବନ୍ଦ ରହିବ, କିନ୍ତୁ କେବଳ ପୂଜକଙ୍କୁ ପ୍ରବେଶ ଅନୁମତି ଦିଆଯିବ । ଶ୍ରଦ୍ଧାଳୁଙ୍କୁ ପେଣ୍ଡାଲ ଉପରକୁ ଆସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ଏତଦ୍ ବ୍ୟତୀତ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂଜା ବେଳେ ପୂଜକଙ୍କୁ ମିଶାଇ ୭ରୁ ଅଧିକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଏବଂ ଯେଉଁମାନେ କରୋନା ଟିକାର ୨ଟି ଡୋଜ୍ ନେଇଥିବେ ସେମାନଙ୍କୁ କେବଳ ଅନୁମତି ମିଳିବ ବୋଲି ଗାଇଡଲାଇନରେ ଦର୍ଶାଯାଇଛି । ସେହିପରି ବିସର୍ଜନ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇ ନଥିବା ବେଳେ କୃତ୍ରିମ ପୁଷ୍କରିଣୀରେ ବିସର୍ଜନ କରିବାକୁ କୁହାଯାଇଛି। ସେହିପରି ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ପିଲାଙ୍କୁ ନେଇ ପୂଜା ଅନୁମତି ମିଳିଛି । କୌଣସି ପ୍ରକାର ପ୍ରସାଦ ସେବନ କିମ୍ବା ଭୋଜିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ , ଗତ ମାସରେ ଏସ୍ଆରସିଙ୍କ ପକ୍ଷରୁ ପୂଜା ପାଇଁ ଗାଇଡଲାଇନ୍ ଜାରି ହୋଇଥିବା ବେଳେ ଏହାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ବିରୋଧ କରାଯାଇଥିଲା। ଏଥିରେ ପୂଜା ମଣ୍ଡପ ପାଇଁ କେତେକ ନିୟମ ରଖାଯାଇଥିଲା ।ନୂଆ ନିୟମରେ ମଣ୍ଡପର ତିନି ପାର୍ଶ୍ୱ ବନ୍ଦ ରଖାଯିବ, ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରଖି ପୂଜା କରିବାକୁ କୁହାଯାଇଥିଲା।
