ସମବାୟ ବିଭାଗରେ ପଡୁନି ୫-ଟି’ ଛାଟ : ୫ ବର୍ଷରେ ୨୨୧ କୋଟି ଟଙ୍କାର ସମବାୟ ବ୍ୟାଙ୍କ ଦୁର୍ନୀତି , କାର୍ଯ୍ୟାନୁଷ୍ଠାନ ଶୂନ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୧୯୬୨ରେ ଆସିଥିଲା ସମବାୟ ଆଇନ। ଚାଷୀଙ୍କ ସମସ୍ୟାକୁ ଦୂର କରିବା ପାଇଁ ଆସିଥିବା ଏହି ପ୍ରାଥମିକ ସମବାୟ ସମିତି ଓ ସମବାୟ ବ୍ୟାଙ୍କ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି। ଚାଷୀ ହନ୍ତସନ୍ତ କିନ୍ତୁ ଦୁର୍ନୀତିଖୋର ବ୍ଯକ୍ତି ମାଲାମାଲ୍। ଗତ ୫ ବର୍ଷରେ ସମବାୟ ଦୁର୍ନୀତିରେ ୨୨୦.୮୦କୋଟି ଟଙ୍କାର ଅର୍ଥ ଆତ୍ମସାତ ହୋଇଥିବା ଜଣାପଡ଼ିଛି। ତେବେ ସବୁଠାରୁ ବିଡମ୍ବନାର ବିଷୟ ହେଉଛି ଯେ, ଯଦି ସମବାୟ ବିଭାଗ ଅଧୀନ ସବୁ ମଣ୍ଡଳର ସମୀକ୍ଷା କରାଯାଏ ତେବେ ଏହି ଦୁର୍ନୀତି ରାଜ୍ୟର ବଜେଟ ଅଟକଳ ଅର୍ଥକୁ ଟପିଯାଉଛି।

ବିଭାଗୀୟ ତଥ୍ୟ ଅନୁଯାୟୀ ଗତ ୫ବର୍ଷ ମଧ୍ୟରେ ୨୬ଟି ମଣ୍ଡଳରେ ରାଜ୍ୟରେ ୨୨୦.୮୦କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି। ଏହି ଅନାଦାୟ ଅର୍ଥ ଅସୁଲି କରିବା ପାଇଁ କେତେକ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି।

ଏତେ ବିପୁଳ ପରିମାଣର ଦୁର୍ନୀତି ମଣ୍ଡଳସ୍ତରରେ ହେଉଥିଲେ ମଧ୍ୟ ସଂପୃକ୍ତ ଅଧିକାରୀ ବା କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ମାତ୍ର ୨ଟି ମଣ୍ଡଳକୁ ଛାଡିଦେଲେ ଅନ୍ୟ ୨୪ଟି ମଣ୍ଡଳରେ ଏହି ଦୁର୍ନୀତି ସବୁ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଶୁଣାଣି ଭିତରେ ସିମୀତ ରହିଯାଇଛି।

ରାଜ୍ୟ ସରକାରଙ୍କ ‘ମୋ-ସରକାର’ ଏବଂ ୫-ଟି’ ନୀତି ମଧ୍ୟ ଏଠି ଫେଲ୍ ମାରିଛି। ସବୁ ବିଭାଗରେ ୫-ଟି ଛାଟ ପଡୁଛି କିନ୍ତୁ ସମବାୟ ବିଭାଗ ଏଥିରୁ କେମିତି ବାଦ୍ ପଡିଛି ତାହା ସବୁଠାରୁ ବଡ଼ ପ୍ରଶ୍ନ?

ସମବାୟ ବିଭାଗ ଅଧୀନରେ ଥିବା ୨୬ଟି ମଣ୍ଡଳରେ ଏତେ ବଡ଼ ଧରଣର ଦୁର୍ନୀତି ହୋଇଥିଲେ ମଧ୍ୟ କାହିଁକି ସଂପୃକ୍ତ ଅଭିଯୁକ୍ତ ବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବିରୋଧୀ କଂଗ୍ରେସ ପ୍ରଶ୍ନ କରିଛି।

ବିଭାଗ ପକ୍ଷରୁ ମନ୍ତ୍ରୀ ଉତ୍ତର ଜଣାଇଛନ୍ତି ଯେ ଓଡ଼ିଶା ସମବାୟ ଆଇନ-୧୯୬୨ର ଧାରା ୬୨ (ଆଇଆଇ) ଅନୁଯାୟୀ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସମବାୟ ବିଭାଗର ତଥ୍ୟ କହୁଛି ଯେ, ବ୍ରହ୍ମପୁର ପାରଳାଖେମୁଣ୍ଡି ସମବାୟ ସହରାଞ୍ଚଳ ବ୍ୟାଙ୍କରେ ୨୦୧୫ ମାର୍ଚ୍ଚ ସୁଦ୍ଧା ୧୨୬.୩୬କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ମାମଲା ରୁଜୁ କରି ଥିଲେ ସୁଦ୍ଧା ୫ବର୍ଷ ଭିତରେ ମାମଲାର ସମାଧାନ ହୋଇପାରି ନାହିଁ। ସେହିପରି ବଲାଙ୍ଗିରରେ ୧୦ଲକ୍ଷ ୩୪ହଜାର ୬୩୨ ଟଙ୍କାର ଏଟିଏମ ଦୁର୍ନୀତି ହୋଇଥିବାବେଳେ ବଲାଙ୍ଗିର ଡିସିସିବିରେ ୧କୋଟି ୪୭ଲକ୍ଷ ୫୯ହଜାର ୩୪ଟଙ୍କାର ଅନିୟମିତତା, କଟକ ସହରାଞ୍ଚଳ ସମବାୟ ବ୍ୟାଙ୍କରେ ୨୩.୮୬କୋଟି , ସମ୍ବଲପୁର ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୩୧ହଜାର ୫୬୦ ଟଙ୍କା, ଭଞ୍ଜନଗର ୟୁସି ବ୍ୟାଙ୍କରେ ୫୦ଲକ୍ଷ ୧୪ହଜାର ୧୪୪ଟଙ୍କା, ସୁନ୍ଦରଗଡ଼ ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧କୋଟି ୯୨ଲକ୍ଷ ୯୧ହଜାର ୧୫୧ ଟଙ୍କା, ବରଗଡ଼ କାର୍ଡ ବ୍ୟାଙ୍କରେ ୩୧ଲକ୍ଷ ୨୩ହଜାର ୮୩୪ ଟଙ୍କା, କଟକସ୍ଥିତ ସହରାଞ୍ଚଳ ସମବାୟ ବ୍ୟାଙ୍କ ଲି.ରେ ୨କୋଟି ୫୫ଲକ୍ଷ ୮୪ହଜାର ୭୪୬ଟଙ୍କା, କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୬କୋଟି ୨୭ଲକ୍ଷ ୨୮ହଜାର ୭୮୭ଟଙ୍କା, ବାଙ୍କି ସିସିବି ଲି.ରେ ୮କୋଟି ୯୦ଲକ୍ଷ ୭୩ହଜାର ୪୯ଟଙ୍କା, ବ୍ରହ୍ମପୁର ସହରାଞ୍ଚଳ ସମବାୟ ବ୍ୟାଙ୍କ ଲି.ରେ ୩କୋଟି ୮୭ଲକ୍ଷ ୨୨ହଜାର ୯୧୩ଟଙ୍କା, ସୁନ୍ଦରଗଡ଼ ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୨ଲକ୍ଷ ୯୭ହଜାର ୯୬୨ ଏବଂ ୭କୋଟି ୬୬ଲକ୍ଷ ୩୧ହଜାର ୧୮୦ଟଙ୍କା, କାମାଖ୍ୟାନଗର ଶାଖା ଏୟୁସିସି ବ୍ୟାଙ୍କରେ ୧କୋଟି ୧୫ଲକ୍ଷ ୧୬ହଜାର ୩୦୦ଟଙ୍କା, ଆସ୍କା ସମବାୟ ସହରାଞ୍ଚଳ ବ୍ୟାଙ୍କରେ ୫ଲକ୍ଷ ୮୫ହଜାର ୮୩୪ଟଙ୍କା, ବାଲେଶ୍ବର ସହରାଞ୍ଚଳ ସମବାୟ ବ୍ୟାଙ୍କ ଲି. ୩କୋଟି ୩୭ଲକ୍ଷ ୩୩ହଜାର ୩୫୬ଟଙ୍କାର ଅର୍ଥ ଆତ୍ମସାତ ହୋଇଛି।

ସେହିପରି ବ୍ରହ୍ମପୁର ସିସିବି ଲି. ରେ ୧୦କୋଟି ୨୪ଲକ୍ଷ ୮ହଜାର ୭୭ଟଙ୍କା, କୋରାପୁଟ ସିସିବି ଲି. ରେ ୩କୋଟି ୬୫ଲକ୍ଷ ୪୭ହଜାର ୩୯୮ଟଙ୍କା,ମୟୂରଭଞ୍ଜ ସିସିବି ଲିରେ ୫୦ଲକ୍ଷ ୬୭ହଜାର ୫୩୧ଟଙ୍କା, ଆନନ୍ଦପୁର ଶାଖା ସିସିବିଲି. ରେ ୧୦ଲକ୍ଷ ୧୫ହଜାର ୬୧୩ଟଙ୍କା, ସାଇଁକୂଳ ଶାଖାରେ ୬ଲକ୍ଷ ୪୬ହଜାର ୨୮୧ଟଙ୍କା, ଆସ୍କା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୫କୋଟି ୪୦ଲକ୍ଷ ୮୭ହଜାର ୪୭୫ଟଙ୍କା ଏବଂ କେନ୍ଦ୍ରାପଡା ସହରାଞ୍ଚଳ ସମବାୟ ବ୍ୟାଙ୍କ ଲି.ରେ ୧କୋଟି ୨୧ଲକ୍ଷ ୨୯ହଜାର ୧୨୯ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି।

ଏହାକୁ ନେଇ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ରେସପନ୍ସବିଲିଟି ଫିକ୍ସିଂ କରାଯାଇ ମାମଲା ଦାୟର କରାଯାଇଛି। କିନ୍ତୁ ଉତ୍କଳ ସମବାୟ ବ୍ୟାଙ୍କ ଭୁବନେଶ୍ବରରେ ୯୨ହଜାର ୪୭୦ଟଙ୍କା ଏବଂ ନର୍ଲା ସମବାୟ କେନ୍ଦ୍ରୀୟ ସମିତି ବ୍ୟାଙ୍କରେ ୩ଲକ୍ଷ ୯୮ହଜାର ୭୪୦ଟଙ୍କାର ମାମଲା ରଦ୍ଦ ହୋଇ ଯାଇଥିବା ବିଭାଗୀୟ ତଥ୍ୟରୁ ଜଣାଯାଇଛି।

Related Posts