ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ରେ ଅସ୍ତ୍ରଶସ୍ତ୍ରରେ ଭରା ବୋଟ୍ ମିଳିଛି । ଯାହାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ, ବୋଟ୍‌ ମଧ୍ୟରୁ ତିନୋଟି ଏକେ ୪୭, ଗୁଳି ସମେତ କିଛି ବିସ୍ଫୋରକ ମିଳିଛି। ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି। ଘଟଣାକୁ ଆତଙ୍କୀ ଷଡଯନ୍ତ୍ର ସହ ଯୋଡିକି ଦେଖାଯାଉଛି। ସଂପ୍ରତି ଏଟିଏସ ମାମଲାର ପ୍ରତିଟି ଦିଗରୁ ଯାଞ୍ଚ କରୁଛି। ଏହା ମଧ୍ୟରେ ରାୟଗଡ଼ରେ ଆଉ ଏକ ଅପରିତ୍ୟକ୍ତ ଡଙ୍ଗା ମିଳିଛି, ଯାହାର ଯାଞ୍ଚ ଜାରି ରହିଛି। ସନ୍ଦିଗ୍ଧ ବୋଟ୍ କାହାର ଏହା ଉପରେ ଅଲଗା ଅଲଗା ଦାବି କରାଯାଉଥିଲା। ଏବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ସାମ୍ବାଦିକ ସମ୍ମିଳନୀ କରି ଘଟଣା ବିଷୟରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ରାୟଗଡ଼ ଜିଲ୍ଲାର ସମୁଦ୍ର କୂଳରେ ଏକ ବୋଟ୍ ମିଳିଛି, ଯେଉଁଥିରେ ତିନି ଏକେ ୪୭ ଏବଂ ଗୁଳି ସହିତ କିଛି କାଗଜପତ୍ର ମିଳିଛି। ଏହି ବୋଟ୍ ଅଷ୍ଟ୍ରେଲିଆର ଜଣେ ମହିଳାଙ୍କର। ଖରାପ ହେବା କାରଣରୁ ବୋଟ୍‌ଟି ଭାସି ଭାରତ କୂଳରେ ଲାଗିଛି। ବର୍ତ୍ତମାନ କୌଣସି ଆତଙ୍କୀ ଗତିବିଧି ଜଣା ପଡିନାହିଁ।

ସେ କହିଛନ୍ତି, ୧୬ ମିଟର ଲମ୍ବର ଏକ ଅପରିତ୍ୟକ୍ତ ବୋଟ୍ ମତ୍ସ୍ୟଜୀବୀ ଦେଖିବାକୁ ପାଇଛନ୍ତି। ସେମାନେ ସ୍ଥାନୀୟ ପୋଲିସ୍‌କୁ ଏହାର ସୂଚନା ଦେଇଥିଲେ। ରାୟଗଡ଼ରୁ ମିଳିଥିବା ସନ୍ଦିଗ୍ଧ ବୋଟ୍‌ରେ ୩ଟି ଏକେ-୪୭ ରାଇଫଲ୍‌ ଏବଂ ବାରୁଦ ମିଳିଛି। ଏହାକୁ ଓ୍ଵାଟରପ୍ରୁଫ ବକ୍ସରେ ରଖାଯାଇଥିଲା। ଫଡଣବିସ୍ କହିଛନ୍ତି, ଏହି ବୋଟ୍‌ର ନାମ ଲେଡି ହାନ। ଏହାର ମାଲିକ ହେଉଛନ୍ତି ଅଷ୍ଟ୍ରେଲିଆର ମହିଳା। ତାଙ୍କ ସ୍ଵାମୀ ଏହି ବୋଟ୍‌ର କ୍ୟାପଟେନ୍। ବୋଟ୍‌ଟି ଓମାନର ରାଜଧାନୀ ମସ୍କଟରୁ ୟୁରୋପ ଅଭିମୁଖେ ଯାତ୍ରା କରୁଥିଲା। ହେଲେ ୨୦୨୨ ଜୁନ ୨୬ରେ ବୋଟ୍‌ର ଇଞ୍ଜିନ ଖରାପ ହୋଇଥିଲା। ବୋଟ୍‌ରେ ଥିବା ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଆଲର୍ଟ ଜାରି କରିଥିଲେ। ପୁଣି କୋରିଆର ନୌସେନା ସମସ୍ତଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ହାଇଟାଇଡ୍ କାରଣରୁ ବୋଟ୍‌କୁ ଉଦ୍ଧାର କରାଯାଇ ପାରିନଥିଲା। ବର୍ତ୍ତମାନ ବୋଟ୍‌ଟି ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାର ହରିହରେଶ୍ଵର ସମୁଦ୍ର କୂଳରେ ଆସି ଲାଗିଛି।

ଏହି ସମୁଦ୍ର କୂଳ ମୁମ୍ବାଇଠୁ ୨୦୦ କିଲୋମିଟର ଏବଂ ପୁଣେଠୁ ୧୭୦ କିଲୋମିଟର ଦୂରରେ ଅବସ୍ଥିତ।

ତେବେ ଏହି ବୋଟ୍‌ରେ ଅସ୍ତ୍ର ଶସ୍ତ୍ର କାହିଁକି ରଖାଯାଇଥିଲା। ଏହାର ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଏହା ଜଣା ପଡିଛି ଯେ, ମାଇଁ ଲେଡି ହାନ ବୋଟ୍‌କୁ ନେପଟ୍ୟୁନ୍ ପି୨ପି ଗ୍ରୁପ ଘରୋଇ ସୁରକ୍ଷା ପ୍ରଦାନ କରୁଥିଲେ। ମାତ୍ର ଆରବ ସାଗରରେ ମୌସୁମୀ ସମୟରେ ବୋଟ୍‌ଟି କ୍ଷତିଗ୍ରସ୍ତ ହୋଇଛି। କ୍ୟାପଟେନ୍ ଏବଂ ବାକି କ୍ରୁ ସଦସ୍ୟଙ୍କୁ ଜରୁରୀକାଳୀନ ଭିତ୍ତିରେ ଉଦ୍ଧାର କରାଯାଇଛି। କିନ୍ତୁ ପ୍ରତିକୂଳ ପାଣିପାଗ କାରଣରୁ ବୋଟ୍‌ଟିକୁ ଉଦ୍ଧାର କରାଯାଇ ପାରିଲା ନାହିଁ।

କମ୍ପାନୀ ଭାବି ନେଇଥିଲେ ଯେ, ବୋଟ୍‌ଟି ବୁଡି ସାରିଛି। ମାତ୍ର ଏବେ ଏହା ଭାରତୀୟ ସମୁଦ୍ର କୂଳରେ ଯାଇ ଲାଗିଛି। ନେପଟ୍ୟୁନ ପି୨ପି ଗ୍ରୁପ୍ ଏବଂ ବୋଟ୍‌ର ମାଲିକ ଭାରତ ଏବଂ ୟୁକେର ପ୍ରଶାସନ ସହ ଯୋଗାଯୋଗରେ ଥିବା କୁହାଯାଉଛି। ଯଦ୍ଵାରା ବୋଟ୍‌ର ମାଲିକ ମିଳିଥିବା ସାମାନ ପାଇ ପାରିବେ। ରାୟଗଢ ଘଟଣା ଉପରେ ଗୃହ ମନ୍ତ୍ରଣାଳୟ ମଧ୍ୟ ନଜର ରଖିଛନ୍ତି। ଏନଆଇଏର ତିନି ଜଣିଆ ଟିମ୍ ଯାଞ୍ଚ ପାଇଁ ରାୟଗଡ଼ ପହଞ୍ଚି ସାରିଛନ୍ତି। ଅପରପକ୍ଷେ ରାୟଗଡ଼ରେ ଆଉ ଏକ ଅପରିତ୍ୟକ୍ତ ଡଙ୍ଗା ମିଳିଛି। ଏହି ଡଙ୍ଗାଟି ଶ୍ରୀବର୍ଦ୍ଧନ ସମୁଦ୍ରକୂଳରୁ ମିଳିଛି। ବର୍ତ୍ତମାନ ସବୁ ଦିଗରୁ ଘଟଣାର ତଦନ୍ତ ଜାରି ରହିଛି।