ପଛପଟୁ ଛୁରୀ ଭୁସି ବିଶ୍ୱାସଘାତ କରିଥିଲେ ଉଦ୍ଧବ ଠାକରେ, ସେଥିପାଇଁ ଉଚିତ ଜବାବ ଦିଆଯାଇଛି: ଫଡନାଭିସ

ମୁମ୍ବାଇ: ଉଦ୍ଧବ ଠାକରେ ପଛପଟୁ ଛୁରୀ ଭୁସି ବିଶ୍ୱାସଘାତ କରିଥିଲେ। ଏହାର ଜବାବ ଦେବାକୁ ଯାଇ ତାଙ୍କ ଠାରୁ ପ୍ରତିଶୋଧ ନିଆଗଲା ବୋଲି ଫଡନାଭିସ କହିଛନ୍ତି। ଶନିବାର ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରରେ ଯୋଗ ଦେଇ ମହାରାଷ୍ଟ୍ର କ୍ଷମତା ପରିବର୍ତ୍ତନ ସମ୍ପର୍କରେ ଏହି ଜବାବ ଦେଇଛନ୍ତି ଫଡନାଭିସ୍।

ତେବେ ସିନ୍ଦେଙ୍କ ସହ ମେଣ୍ଟ ସରକାରରେ ଫଡ଼ନାଭିସ ପ୍ରଥମେ ଯୋଗ ଦେବାକୁ ଚାହୁଁନଥିଲେ। କାରଣ ସେ ଲୋକଙ୍କୁ ଦେଖାଇ ଦେବାକୁ ଚାହୁଁଥିଲେ ଯେ ସେ କ୍ଷମତା ଲୋଭି ନୁହଁନ୍ତି। ହେଲେ ପରେ ମହାରାଷ୍ଟ୍ର ଉନ୍ନତି ପାଇଁ ତାଙ୍କୁ ସାମିଲ୍ ହେବାକୁ ପଡ଼ିଲା ବୋଲି ଫଡ଼ନାଭିସ କହିଛନ୍ତି।

ସେ କହିଛନ୍ତି ” ମହାରାଷ୍ଟ୍ର ସ୍ଥିତିକୁ ଦେଖି ସିନ୍ଦେଙ୍କୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ହୋଇଥିଲା। ମୁଁ ଭାବିଥିଲି ମେଣ୍ଟ ସରକାର ଯୋଗ ଦେବିନି। କାରଣ କେହି ମୋତେ ନ କହୁ ଯେ ମୁଁ କ୍ଷମତା ଲୋଭରେ ଯୋଗ ଦେଇଛି। ତେବେ ରାଜ୍ୟ ଚଳାଇବାକୁ ହେଲେ ମୋର ଅଭିଜ୍ଞତାର ଆବଶ୍ୟକତା ରହିଛି ବୋଲି ମୋ ନେତା ମୋତେ କହିଥିଲେ।” ପ୍ରଧାନମନ୍ତ୍ରୀଙ୍କର ଭିଜନ ଇଣ୍ଡିଆ ମୁମ୍ବାଇ ବିନା ପୂରା ହୋଇପାରିବ ନାହିଁ ବୋଲି ଫଡନାଭିସ କହିଛନ୍ତି।

ମେଣ୍ଟ ସରକାର ନେଇ ଫଡ଼ନାଭିସ କହିଛନ୍ତି ଯେ ଏହା ଏକ ଟି-୨୦ ଇଭେଣ୍ଟ ଥିଲା। ଉଦ୍ଧବ ଠାକରେଙ୍କ ବିରୋଧରେ ପ୍ରତିଶୋଧ ନେବାର ଥିଲା। ଏଥିପାଇଁ ଏମିତି ହେଲା ବୋଲି ସେ କହିଛନ୍ତି।

ସେ କହିଛନ୍ତି “ଆମେ ଯେତେବେଳେ ବିରୋଧୀରେ ଥିଲୁ। ଶିବସେନା ଓ ଉଦ୍ଧବ ଆମକୁ ଯେମିତି ବ୍ୟବହାର କରିଥିଲେ ପଛରୁ ଛୁରି ଭୁସିଲା ଭଳି ଲଗୁଥିଲା। ଆମେ ପ୍ରତିଶୋଧ ନେବାକୁ ଚାହୁଁଥିଲୁ। ଯଦି ଜଣେ ବିଦ୍ରୋହ ଘୋଷଣା କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଆମେ ତାଙ୍କୁ ଫେରିଯିବାକୁ କହିବୁନି। ଆମେ ତାଙ୍କୁ ୧୦୦ ପ୍ରତିଶତ ସମର୍ଥନ ଦେବୁ। ମୋ ସହ ଅନ୍ୟାୟ ହୋଇଥିଲା। ଆଉ ମୁଁ ଖୁସୀ ଯେ ଆମେ ଏଥିପାଇଁ ପ୍ରତିଶୋଧ ନେଇଗଲୁ।” ଏଣିକି ବିଜେପି ରାଜ୍ୟରେ ସିନ୍ଦେଙ୍କ ଶିବସେନା ସହିତ ଆଗାମୀ ସମସ୍ତ ନିର୍ବାଚନ ଲଢ଼ିବ ବୋଲି ଫଡନାଭିସ କହିଛନ୍ତି।

ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା କେନ୍ଦ୍ରୀୟ ନେତାଙ୍କର ନୁହେଁ ବଂର ଫଡନାଭିସଙ୍କର ଭୂମିକା ଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ମେଣ୍ଟ ସରକାରରେ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବା ମୋର ନିଷ୍ପତ୍ତି ଥିଲା। ଏହା ମୋ ପାଇଁ ଆଶ୍ଚର୍ଯ୍ୟର କଥା ନଥିଲା। ହେଲେ ଯେତେବେଳେ ମୋ ନେତା ମୋତେ ଉପମୁଖ୍ୟମନ୍ତ୍ରୀ ହେବାକୁ ବାଧ୍ୟ କଲେ ତାହା ମୋ ପାଇଁ ଆଶ୍ଚର୍ଯ୍ୟକର ଥିଲା ବୋଲି ସେ କହିଛନ୍ତି।

Related Posts