
ଖୋର୍ଦ୍ଧା: ଆସନ୍ତାକାଲି( ଗୁରୁବାର) ଚିଲିକାରେ ଘଟିଥିଲା ଅଘଟଣ | କାଳବୈଶାଖୀ ପ୍ରଭାବରେ ଚିଲିକା ମଝିରେ ଏକ ଡଙ୍ଗା ବୁଡି ଯାଇଥିଲା | ଫଳରେ ଏହୋ ଘଟଣାରେ ୧୦ ଜଣ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ, ଏବେବି ଜଣେ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ବାଲୁଗାଁର ରାଜକିଶୋର ଖୁଣ୍ଟିଆ ବୋଲି ଜଣାପଡିଛି।
ସୂଚନାନୁସାରେ, ଗୁରୁବାର ଅପରାହ୍ନରେ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ୯ ଜଣ ପର୍ଯ୍ୟଟକ କାଳିଜାଈ ବୁଲିବାକୁ ଦେଶୀ ଡଙ୍ଗାରେ ଯାଇଥିଲେ। ଫେରିବା ବେଳକୁ କାଳିଜାଈ ପୀଠରେ ଦୋକାନ ଦେଇଥିବା ଜଣେ ଦୋକାନୀ ଏବଂ ତାଙ୍କର ଜଣେ ସହଯୋଗୀ ସେହି ଡଙ୍ଗାରେ ବସି ଆସିଥିଲେ।
କାଳବୈଶାଖୀ ପ୍ରଭାବରେ ଡଙ୍ଗାଟି ପାଣିରେ ବୁଡିଯାଇଥିଲା। ସେଥିରେ ଥିବା ୧୦ ଜଣ ଯାତ୍ରୀ ସମେତ ନାଉରିଆଙ୍କୁ ପୋଲିସ ଏବଂ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ।ମାତ୍ର କାଳିଜାଈ ପୀଠରେ ଦୋକାନରେ କାମକରୁଥିବା ବାଲୁଗାଁ ଅଞ୍ଚଳର ରାଜକିଶୋର ଖୁଣ୍ଟିଆ ନିଖୋଜ ହୋଇଯାଇଥିଲେ। ବାଲୁଗାଁ ଅଗ୍ନିଶମ ବାହିନୀ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ । କିନ୍ତୁ ଏବେବି ତାଙ୍କର କୌଣସି ପତ୍ତା ମିଳୁନାହିଁ । ତେବେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ସେପଟେ ଡଙ୍ଗା ବୁଡିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ଏହି ଘଟଣାର ତଦନ୍ତ କରିବା ନେଇ ଦାୟିତ୍ବ ଦିଆଯାଇଛି।