(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଦେଶର ବିଭିନ୍ନ ସ୍ଥାନରୁ କରୋନା ମହାମାରୀର ଭୟାନକ ଚିତ୍ର ସାମ୍ନାକୁ ଆସୁଛି। କେଉଁଠି ଅକ୍ସିଜେନ ଅଭାବରୁ ଲୋକଙ୍କ ଜୀବନ ଚାଲିଯାଉଛି ତ ପୁଣି କେତେବେଳେ ଗଙ୍ଗା ଓ ଯମୁନା ନଦୀରେ ଶବ ଭାସୁଥିବା ଚିତ୍ର ଦେଖିବାକୁ ମିଳୁଛି। କିନ୍ତୁ ଏହା ସତ୍ତ୍ୱେ ସେଣ୍ଟ୍ରାଲ ଭିସ୍ଟା ପ୍ରକଳ୍ପ କାର୍ଯ୍ୟ ଚାଲିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଗାତର ଟାର୍ଗେଟ କରି ଆସୁଛନ୍ତି। ରାହୁଲ୍ ହିନ୍ଦୀରେ ଏକ କ୍ଷୁଦ୍ର କବିତା ଲେଖି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆଖିରୁ ଗୋଲାପି ରଙ୍ଗର ଚଷମା କାଢିବାକୁ କହିଛନ୍ତି । ଯାହା ଦ୍ବାରା ତାଙ୍କୁ ସେଣ୍ଟ୍ରାଲ ଭିସ୍ଟା ପ୍ରକଳ୍ପ ବିନା ଅନ୍ୟ କୌଣସି ଜିନିଷ ଦେଖାଯାଉ ନାହିଁ।
ରାହୁଲ୍ ଗାନ୍ଧୀ ଟ୍ୱିଟ କରି କହିଛନ୍ତି, “ନଦୀରେ ପ୍ରବାହିତ ଅଗଣିତ ମୃତଦେହ। ଡାକ୍ତରଖାନା ଆଗରେ ଲାଗିଥିବା ଲମ୍ବା ଲାଇନ। ଜୀବନ ନିରାପତ୍ତାର ଅଧିକାର ଛଡ଼ାଇ ନିଆଯାଇଛି! ପ୍ରଧାନମନ୍ତ୍ରୀ ସେହି ଗୋଲାପ ରଙ୍ଗର ଚଷମା ବାହାର କରନ୍ତୁ ଯେଉଁଥିରେ ସେଣ୍ଟ୍ରାଲ୍ ଭିସ୍ଟା ବ୍ୟତୀତ ଆଉ କିଛି ଦେଖାଯାଏ ନାହିଁ ।” ମହାମାରୀ ମଧ୍ୟରେ ଚିକିତ୍ସା ଭିତ୍ତିଭୂମିରେ ଉନ୍ନତି ଆଣିବା ପରିବର୍ତ୍ତେ ନୂତନ ସଂସଦ ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ନୂତନ ଆବାସ ନିର୍ମାଣ ପାଇଁ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି। ରାହୁଲ୍ ଗାନ୍ଧୀ କୋଭିଡ୍ ବିରୋଧୀ ଲଢେଇକୁ ମଜବୁତ କରିବା ପାଇଁ ‘ସ୍ପିକ୍ ଅପ୍ ଟୁ ସେଭ୍ ଲାଇଭସ୍’ ଅଭିଯାନରେ ଯୋଗଦେବାକୁ କହିଥିଲେ ଏବଂ ଏହି ଦୁଃଖ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ କହିଥିଲେ।